ବଜେଟ୍ ଅଧିବେଶନ ପୂର୍ବରୁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ସୂଚନା, ଏଥର ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ । ଦୈନିିକ ଦୁଇଟି ଅଧିବେଶନରେ ଚାଲିବ ବିଧାନସଭା

84

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି କି ପୂର୍ବ ଭଳି ବିଧାନସଭା ଗୃହରେ ବିଧାୟକ ଓ ମନ୍ତ୍ରୀ ମାନେ ନିଜ ନିଜ ସିଟରେ ଠିଆ ହୋଇ କିମ୍ବା ବସିବା ପାଇଁ ଯେଉଁ ଅନୂୁମତି ଦିଆଯାଇଥିଲା ତାହା ବଳବତ୍ତର ରହିବ । ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣ ଠିଆ ହୋଇ କିମ୍ବା ବସିକରି ଦେଇପାରିବେ ବୋଲି ବାଚସ୍ପତି କହିଛନ୍ତି । ଏହାସହ ପ୍ରଶ୍ନକାଳ ଓ ତାରକା ଚିହ୍ନିତ ପ୍ରଶ୍ନ ଉପରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିବ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି । ଦୈନିକ ଦୁଇଟି ଅଧିବେଶନରେ ଚାଲିବ ବିଧାନସଭା । ଦିନ ସାଢେ ୧୦ ରୁ ସାଢେ ଗୋଟାଏ ଯାଏଁ ପ୍ରଥମ ଅଧିବେଶନ ଓ ଦିନ ୪ ଟାରୁ ୬ ଟା ଯାଏଁ ଚାଲିବ ଦ୍ୱିତୀୟ ଅଧିବେଶନ । ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେଶନ ସଂନ୍ଧ୍ୟା ୭ ଟା ଯାଏ ଚାଲିବ ।

ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୮ରୁ ଆରମ୍ଭ ହୋଇଛି ଫେବୃଆରୀ ୨୮ ତାରିଖ ଯାଏଁ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ମାର୍ଚ୍ଚ ୧୧ ରୁ ୩୧ ତାରିଖରେ ଶେଷ କରାଯିବ । ଫେବୃଆରୀ ୨୨ ତାରିଖରେ ବଜେଟ୍ ଆଗତ ହେବ । ତେବେ ବଜେଟ୍ ଅଧିବେଶନ କାଳରେ ବିଧାନସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଏଥିପାଇଁ ଆଜି ୩ ରାଜନୈତିକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ । ଆଜି ଅପରାହ୍ଣ ସାଢେ ୫ଟାରେ ବିଜେଡିର ବିଧାୟକ ଦଳ ବୈଠକ ବସିବ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ ବସିବ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସ ଭବନରେ ଏହି ବୈଠକ ବସିବ । ସେହିଭଳି ବଜେଟ୍ ଅଧିବେଶନକୁ ନେଇ କଂଗ୍ରେସ ବିଧାୟକ ଦଳ ମଧ୍ୟ ବୈଠକର ଆୟୋଜନ କରିଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳଙ୍କର ବୈଠକ ଅନୁଷ୍ଠିତ ହେବ ।