କେଉଁମାନଙ୍କ ସହାୟତାରେ ଅର୍ଥମନ୍ତ୍ରୀ ପ୍ରସ୍ତୁତ କରିଥାନ୍ତି ଆର୍ଥିକ ବଜେଟ୍, ଆସନ୍ତୁ ଜାଣିବା ବଜେଟ ପ୍ରସ୍ତୁତି ପଛର କିଛି ଅଜଣା କଥା

137

କନକ ବ୍ୟୁରୋ : ଚଳିତ ବର୍ଷ ଫେବୃଆରୀ ମାସ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ମସିହା ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ । ଏହି ବଜେଟକୁ ପ୍ରସ୍ତୁତ କରିବାକୁ ପାଇଁ ଅର୍ଥମନ୍ତ୍ରୀଙ୍କ ସହ କିଛି ବିଜ୍ଞ ବ୍ୟକ୍ତି କାମ କରିଥାନ୍ତି । ଏହି ବଜେଟ ପ୍ରସ୍ତୁତ ଟିମରେ ଟି.ବି ସୋମନାଥନ, ତରୁଣ ବଜାଜ୍, ଅଜୟ ସେଠ୍ ଓ ତୁହିନ କାନ୍ତ ପାଣ୍ଡେଙ୍କ ସହ ଅନେକ ବିଜ୍ଞ ବ୍ୟକ୍ତି ସାମିଲ ଅଛନ୍ତି ।

ଫେବୃଆରୀ ମାସରେ ଉପସ୍ଥାପିତ ହେବାକୁ ଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମହାମାରୀ ସହ ଲଢୁଥିବା ଦେଶକୁ ନୂଆ ମାର୍ଗ ଦେବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ଏହାସହ ବଜେଟ କିଭଳି ହେବ ଏହା ସାଧାରଣ ଲୋକଙ୍କ ପାଇଁ କଣ ଆସ୍ୱସ୍ଥିକର ଖବର ଆଣିବ ତାହା ଉପରେ ଲୋକଙ୍କ ନଜର ରହିଛି । ଅର୍ଥମନ୍ତ୍ରୀଙ୍କ ସହ ପୂରା ଟିମ ବିଶେଷ ବର୍ଗ ଠାରୁ ଆରମ୍ଭ କରି ସାଧାରଣ ବର୍ଗର ଲୋକଙ୍କ ସ୍ଥିତିକୁ ଧ୍ୟାନରେ ରଖି ବଜେଟ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଟିମରେ କାମ କରୁଥିବା କିଛି ବିଶେଷ ଲୋକଙ୍କ ବାବଦରେ କହିବାକୁ ଯାଉଛୁ ।

ନିର୍ମଳା ସୀତାରମଣ : ଦେଶର ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ନିଜର ଚତୁର୍ଥ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ପୂର୍ବ ବର୍ଷ ସାଧାରଣ ବଜେଟ ବି କରୋନା ମହାମାରୀ ମଧ୍ୟରେ ଉପସ୍ଥାପନ କରାଯାଇଥିଲା । ଏକ ରିପୋର୍ଟ ମୁତାବକ ଅର୍ଥମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି କି ଚଳିତ ବଜେଟ ଅନ୍ୟ ବଜେଟ ତୁଳନାରେ କିଛି ସ୍ୱତନ୍ତ୍ର ହେବ ।

ଟିବି ସୋମନାଥନ : ଅର୍ଥମନ୍ତ୍ରଣାଳୟର ଏକ୍ସପେଣ୍ଡିଚର ସେକ୍ରେଟାରୀ ଭାବେ ଦାୟିତ୍ୱ ସମ୍ଭାଳିଥିବା ଟିବି ସୋମନାଥନ ବଜେଟ ଟିମର ମୁଖ୍ୟ ଅଟନ୍ତି । ପରମ୍ପରା ମୁତାବକ ଅର୍ଥମନ୍ତ୍ରଣାଳୟର ୫ ଜଣ ସେକ୍ରେଟାରୀଙ୍କ ମଧ୍ୟରୁ ବରିଷ୍ଠ ସେକ୍ରେଟାରୀଙ୍କୁ ଫାଇନାନ୍ସ ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଥାଏ । ସୋମନାଥନ ୧୯୮୭ ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ ଅଧିକାରୀ । ଏହା ପୂର୍ବରୁ ସେ ବିଶ୍ୱ ବ୍ୟାଙ୍କରେ ବି କାମ କରିସାରିଛନ୍ତି । କୋଲକତା ବିଶ୍ୱ ବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଥିବା ସୋମନାଥଙ୍କ ଉପରେ ବଜେଟରେ ଖର୍ଚ୍ଚ ଉପରେ ଅଂକୁଶ ଲଗାଇବା ଦାୟିତ୍ୱ ରହିଛି ।

ତରୁଣ ବଜାଜ୍ : ୧୯୮୮ ହରିଆଣା ବ୍ୟାଚର ଆଇଏଏସ ଅଧିକାରୀ ତରୁଣ ବଜାଜ ଅର୍ଥମନ୍ତ୍ରଣାଳୟର ଆର୍ଥିକ ପ୍ରସଙ୍ଗ ବିଭାଗର ସଚିବ ଅଟନ୍ତି । ଅର୍ଥମନ୍ତ୍ରଣାଳୟରେ ଯୋଗ ଦେବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ । ସେଠାରେ ସେ ଦେଶ ପାଇଁ ଅନେକ ସହାୟତା ପ୍ୟାକେଜ ଉପରେ କାମ କରିସାରିଛନ୍ତି । ରିପୋର୍ଟ ମୁତାବକ ୩ ଟି ଆତ୍ମନିର୍ଭର ଭାରତ ପ୍ୟାକେଜ ପ୍ରସ୍ତୁତ କରିବାରେ ତରୁଣ ବଜାଜଙ୍କ ପ୍ରମୁଖ ଭୂମିକା ରହିଛି ।

ଅଜୟ ସେଠ : ଅର୍ଥମନ୍ତ୍ରଣାଳୟର ସବୁଠାରୁ ନୂଆ ସଦସ୍ୟ ହୋଇଥିଲେ ବି ଇକୋନୋମିକ ଅଫେୟାର୍ସ ସେକ୍ରେଟାରୀ ପଦରେ ଥିବା ଅଜୟ ସେଠ୍ ଙ୍କ ଉପରେ ସମସ୍ତଙ୍କର ନଜର ରହିଛି । କାରଣ ଡିଡିଏ କ୍ୟାପିଟାଲ ମାର୍କେଟ, ଇନଭେଷ୍ଟମେଣ୍ଟ ଓ ଇନଫାଷ୍ଟ୍ରକ୍ଚର ସହିତ ଜଡିତ ବିଭାଗର ମୁଖ୍ୟ ଅଟନ୍ତି ଅଜୟ ସେଠ୍ । ଅଜୟ କର୍ଣ୍ଣାଟକ କ୍ୟାଡରର ୧୯୮୭ ବ୍ୟାଚର ଆଇପିଏସ ଅଟନ୍ତି ।

ଦେବାଶିଷ ପାଣ୍ଡା : ଦେବାଶିଷ ପାଣ୍ଡା ଅର୍ଥମନ୍ତ୍ରଣାଳୟର ଅର୍ଥସେବା ବିଭାଗର ସଚିବ ଅଟନ୍ତି । ପାଣ୍ଡାଙ୍କୁ ଏଥିପାଇଁ ଟିମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଭାବେ ବିବେଚନା କରାଯାଏ କି ବଜେଟରେ ଆର୍ଥିକ କ୍ଷେତ୍ର ସହିତ ଜଡିତ ଛୋଟ ବଡ ସମସ୍ତ ଘୋଷଣା ତାଙ୍କ ଉପରେ ନିର୍ଭର କରିଥାଏ । ୧୯୮୭ ବ୍ୟାଚର ଉତ୍ତର ପ୍ରଦେଶ କ୍ୟାଡରର ଆଇପିଏସ ଦେବାଶିଷ ପାଣ୍ଡାଙ୍କ ଉପରେ ଆଥିର୍କ ସିଷ୍ଟମର ସ୍ଥିରତା ସୁନିଶ୍ଚିତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଳିତ ଭାବେ କାମ କରିବାର ଦାୟିତ୍ୱ ରହିଛି ।

ତୁହୀନକାନ୍ତ ପାଣ୍ଡେ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଟିମରେ ତୁହୀନକାନ୍ତ ପାଣ୍ଡେଙ୍କ ନାମ ସାମିଲ ରହିଛି । ଯାହାଙ୍କ ବିଭାଗ ଉପରେ ସମସ୍ତଙ୍କ ନଜର ରହିଛି । ୧୯୮୭ ବ୍ୟାଚ ଓଡିଶା କ୍ୟାଡରର ଆଇପିଏସ ଅଧକାରୀ ତୁହୀନକାନ୍ତ ନିବେଶ ଓ ସାର୍ବଜନୀକ ପରିସଂପତ୍ତି ପ୍ରବନ୍ଧନ ବିଭାଗର ସଚିବ ଅଟନ୍ତି    । ତାଙ୍କୁ ଅକ୍ଟୋବର ୨୦୧୯ ରେ ଡିଆଇପିଏଏମର ସଚିବ ଭାବେ ନିଯୁକ୍ତ କରାଯାଇଥିଲା ।

କୃଷ୍ଣମୂର୍ତ୍ତି ସୁବ୍ୟମଣ୍ୟମ : କୃଷ୍ଣମୂର୍ତ୍ତି ସୁବ୍ୟମଣ୍ୟମ ଫାଇନାନସିଆଲ ଇକୋନୋମିକରେ ପିଏଚଡି କରିଛନ୍ତି । ୟୁନିଭରସିଟି ଅଫ୍ ଚିକାଗୋ ବୁଥ ସ୍କୁଲ ଅଫ୍ ବିଜନେସରେ ପ୍ରଫେସର ଲ୍ୟୁଗି ଜିଙ୍ଗେଲ୍ସ ଓ ରଘୁରାମ ରାଜନଙ୍କ ମାର୍ଗଦର୍ଶନରେ ସେ ଏହି ପିଏଚଡି ସମ୍ପୂର୍ଣ୍ଣ କରିଥିଲେ । ୨୦୧୮ ମସିହାରେ ସୁବ୍ରମଣ୍ୟମଙ୍କୁ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ତାଙ୍କୁ ବ୍ୟାଙ୍କିଙ୍ଗ୍, କର୍ପୋରେଟ ପ୍ରଶାସନ ଓ ଆର୍ଥିକ ନୀତିର ମହାରଥୀ ଭାବେ ବିବେଚନା କରାଯାଏ ।