ବିଟେକ ଇଞ୍ଜିନିୟରରୁ ସଫଳ ମାଛଚାଷୀ। ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ରୋଲ ମଡ଼େଲ..

155

କନକ ବ୍ୟୁରୋ: ଝାରସୁଗୁଡା ଜିଲ୍ଲା ବାଲିଝୁରି ଗାଁର ବିଟେକ ଇଞ୍ଜିନିୟର ଝସକେତନ ବଡ଼ମିରି । ବେଦାନ୍ତ କାରଖାନାରେ ଠିକାସଂସ୍ଥାରେ ଚାକିରୀ କରୁଥିବା ଝସକେତନ ଲକଡାଉନ ସମୟରେ କାମ ହରେଇ ନୂଆ କିଛି କାମ କରିବା ପାଇଁ ଯୋଜନା କରୁଥିଲେ । ତେବେ ୟୁଟ୍ୟୁବରୁ ପ୍ଲାଷ୍ଟିକ ଟାଙ୍କିରେ ମାଛଚାଷ ପ୍ରଣାଳୀ ଶିଖି କଲିକତାରୁ ଆବଶ୍ୟକୀୟ ସାମଗ୍ରୀ ଆଣି ନିଜବାଡ଼ି ଆରମ୍ଭ କରିଛନ୍ତି ମାଛଚାଷ । ବାୟୋଫ୍ଲକ୍ ପ୍ରଣାଳୀରେ ମାଛଚାଷ କରି ବେଶ ଲାଭବାନ ହେଉଛନ୍ତି ଝସକେତନ । କରୋନା ସମୟରେ ଚାକିରି ହରାଇବା ପରେ ବେକାର ବୁଲିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ସ୍ୱଳ୍ପ ବିନିଯୋଗରେ ଏଭଳି ବ୍ୟବସାୟ ଆରମ୍ଭ କରିଛନ୍ତି । ପାଖାପାଖି ଅଢେଇ ବର୍ଷ ହେଲା ସେ ଏହି ଚାଷ କରୁଥିବା ବେଳେ ନିଜେ ଆତ୍ମନିର୍ଭର ହୋଇପାରିଛନ୍ତି ।

ନିଜେ ମାଛ ଚାଷ କରିବା ସହ ଆଖ ପାଖର ମାଛଚାଷୀଙ୍କୁ ମାଛ ଜାଆଁଳ ଓ ମାଛ ଚାଷ ପାଇଁ ଆନୁସଙ୍ଗିକ ସାମଗ୍ରୀ ଯୋଗେଇ ଦେଉଛନ୍ତି ଝସକେତନ । ଜିଲ୍ଲାର ଲଖନପୁର, କିର୍ମିରା, ଲଇକେରା ଆଦି ଅଞ୍ଚଳରୁ ପ୍ରାୟ ଦଶ ଜଣ ଯୁବକଙ୍କୁୁ ମାଛଚାଷ ବିଷୟରେ ତାଲିମ ଦେଇ ରୋଜାଗାରର ନୁଆ ପନ୍ଥା ଦେଖେଇଛନ୍ତି । ମାଛଚାଷ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଥିବାବେଳେ ସିଧାସଳଖ ମତ୍ସ୍ୟବିଭାଗ ଦ୍ୱାରା ଲାଭଉଠାଇ ପାରିବେ ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । କେବଳ ଚାକିରୀ ଆଶାରେ ନଦୌଡ଼ି ନିଜସ୍ୱ ଉଦ୍ୟମରେ ନିଜେ ରୋଜଗାର କରିବା ସହ ନିଜ ଅଞ୍ଚଳରେ କିଛି ଲୋକଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ଝସକେତନ ।