ଜାମ୍ମୁର ଅର୍ଣ୍ଣିଆ ସେକ୍ଟର ସୀମାରେ ପୁଣି ଦେଖାଗଲା ଅଜଣା ଡ଼୍ରୋନ୍ । ଭାରତ ସୀମାରେ ପ୍ରବେଶ ପୂର୍ବରୁ ଘଉଡ଼ାଇଦେଲେ ବିଏସଏଫ ଯବାନ, ଗୁଳି ମାଡ଼ ପରେ ଗାଏବ ହୋଇଗଲା ଡ଼୍ରୋନ୍ ।

86

କନକ ବ୍ୟୁରୋ : ପୁଣି ସୀମାରେ ଉଡିଲା ଡ୍ରୋନ । ଜମ୍ମୁର ଆର୍ଣ୍ଣିଆ ସେକ୍ଟର୍‌‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଉଡୁଥିବା ଗୋଟାଏ ଡ୍ରୋନ୍‌ ଆଡ଼କୁ ‘ବିଏସଏଫ୍‌’ ଯବାନମାନେ ଗୁଳି ଚଳାଇଥିଲେ। ଭାରତୀୟ ବାୟୁସେନା ଷ୍ଟେସନରେ ଦୁଇଟି ବିସ୍ଫୋରଣ ଘଟିବା ପରଠାରୁ ପଞ୍ଚମଥର ପାଇଁ ଜମ୍ମୁ-କାଶ୍ମୀରରେ ଡ୍ରୋନ ଦେଖିବାକୁ ମିଳିଛି ।

ପ୍ରାଥମିକ ସୂଚନା ଅନୁସାରେ, ଉକ୍ତ ଡ୍ରୋନଟି ତାରବାଡ଼ ପାଖରେ ଦୃଶ୍ୟମାନ ହୋଇଥିଲା। କିନ୍ତୁ, ଏହା ସୀମାନ୍ତ ଅତିକ୍ରମ ନ କରି ପାକିସ୍ତାନ ପଟରେ ରହିଥିଲା। ଜଣେ ସରକାରୀ ଅଧିକାରୀ କହିଛନ୍ତି, ପାକିସ୍ତାନର ଜୁମ୍ମାତ ପୋଷ୍ଟରୁ ଡ୍ରୋନଟି ଆସି ଆନ୍ତର୍ଜାତିକ ସୀମାନ୍ତ ନିକଟରେ ଉଡୁଥିଲେ ବି ତାର ବାଡ଼ ଟପି ନ ଥିଲା। ବିପଦ ଆଶଙ୍କା କରି ‘ବିଏସଏଫ୍‌’ ଯବାନମାନେ ଉଡ଼ନ୍ତା ଡ୍ରୋନ୍‌ ଆଡ଼କୁ ୫/୬ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଆଉ ଏହାପରେ ଡ୍ରୋନଟି କେଉଁଆଡେ ଗାଏବ ହୋଇଯାଇଥିଲା ।

‘ବିଏସଏଫ୍‌’ର ମୁଖପାତ୍ର କହିଛନ୍ତି, ଭୋର୍‌ ସମୟରେ ଉକ୍ତ ଡ୍ରୋନଟି ଆର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅତିକ୍ରମ କରିବା ଲାଗି ଉଦ୍ୟମ କରୁଥିବା ବେଳେ ଜାଗ୍ରତ ଥିବା ‘ବିଏସଏଫ୍‌’ ଯବାନମାନେ ପାକିସ୍ତାନର ସେହି କ୍ଷୁଦ୍ର ‘ହେକ୍ସା କପ୍ଟର୍‌’ ବା ‘ଡ୍ରୋନ୍‌’ ଆଡ଼କୁ ଗୁଳି ଚଳାଇଥିଲେ। ଗୁଳି ବର୍ଷଣ ହେବାରୁ ଡ୍ରୋନଟି ଅବିଳମ୍ବେ ସେଠାରୁ ଫେରିଯାଇଥିଲା। ସେ ଅଞ୍ଚଳ ନିରୀକ୍ଷଣ କରିବା ଲାଗି ଡ୍ରୋନଟିକୁ ପଠାଯାଇଥିଲା।