ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବିଏସଏଫର ପଦକ୍ଷେପ । ବାଲିମେଳା ଜଳଭଣ୍ଡାରରେ ଯାତ୍ରା କଲା ବିଏସଏଫର ମୋଟର ଲଞ୍ଚ

89

କନକ ବ୍ୟୁରୋ: ଗୁରୁପ୍ରିୟା ସେତୁ ହେବା ପରେ ସ୍ୱାଭିମାନ ଅଞ୍ଚଳରେ ବଦଳିଯାଇଛି ମାଲକାନଗିରିର ବିଚ୍ଛିନାଞ୍ଚଳ । ଆଉ ବିଏସଏଫ ଯବାନଙ୍କ ପାଇଁ ସ୍ୱାଭିମାନ ଅଞ୍ଚଳର ସ୍ଥିତିରେ ଅନେକ ସୁଧାର ଆସିଛି । ଯବାନଙ୍କ ପାଇଁ ଲୋକଙ୍କ ଜୀବନ ଯାପନ ସରଳ ହୋଇଛି । ମାଓବାଦୀଙ୍କ ଦବଦବା କମିଛି । ମାଓ ଦମନ କ୍ଷେତ୍ରରେ ଆଗକୁ ବଢୁଥିବା ବିଏସଏଫ ଏବେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ପଦକ୍ଷେପ ନେଇଛି ।

ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆଗେଇ ଆସିଛି ବିଏସଏଫ । ଗୁରୁପ୍ରିୟା ସେତୁ ଠାରେ ଆମ୍ବୁଲାନ୍ସ ମୋଟର ସେବାର ଶୁଭାରମ୍ଭ କରିଛି ସୀମା ସୁରକ୍ଷା ବାହିନୀ । ଏହି ମୋଟର ଆମ୍ବୁଲାନ୍ସ ଦ୍ୱାରା ଉପକୃତ ହେବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ନଦୀକୂଳିଆ ଲୋକେ । ଯେଉଁଠିକୁ ରାସ୍ତା ଯୋଗେ ଆମ୍ବୁଲାନ୍ସ ପହଞ୍ଚିବାରେ ସମସ୍ୟା ହେଉଛି, ସେଠାରୁ ରୋଗୀଙ୍କୁ ଆଣି ଚିତ୍ରକୋଣ୍ଡା ଡାକ୍ତରଖାନାରେ ପହଞ୍ଚାଇବାରେ ସହଯୋଗ କରିବ ମୋଟର ବୋଟ୍ ।

ବିଶେଷ କରି ସ୍ୱାଭିମାନ ଅଞ୍ଚଳର ୫ଟି ପଞ୍ଚାୟତ ଯୋଡାଆମ୍ବ, ପଣସପୁଟ, ଅଣ୍ଡରାପାଲି, ଯନ୍ତ୍ରୀ ଓ ଗାଜଲମାମୁଡି ଅଞ୍ଚଳର ନଇକୂଳିଆ ଲୋକଙ୍କୁ ଡାକ୍ତରଖାନା ନେବ ବିଏସଏଫର ଏହି ବୋଟ୍ । ବାଲିମେଳା ଜଳଭଣ୍ଡାରରେ ସରକାରଙ୍କ ପକ୍ଷରୁ ୧୦୮ ଲଞ୍ଚ୍ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ଏବେ ବିଏସଏଫ ପକ୍ଷରୁ ଆଉ ଏକ ମୋଟର ଆମ୍ବୁଲାନ୍ସ ଦିଆଯିବା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆସିବ ବୋଲି କୁହାଯାଉଛି । ସାଧାରଣତନ୍ତ୍ର ଦିବସ ଅବସରରେ ଏଭଳି ଜନକଲ୍ୟାଣକାରୀ ସେବାରୁ ଶୁଭାରମ୍ଭ କରିଛନ୍ତି ବିଏସଏଫ ଡିଆଇଜି ।