କନକ ବ୍ୟୁରୋ : ବ୍ରିଜଭୂଷଣଙ୍କୁ ଆଶ୍ୱସ୍ତି । ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବିଜେପି ସାଂସଦ ବ୍ରିଜଭୂଷଣଙ୍କୁ ଦିଲ୍ଲୀ ପୋଲିସର କ୍ଲିନଚିଟ୍ ଦେଇଛନ୍ତି । ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ୭ କୁସ୍ତିଯୋଦ୍ଧା କରିଥିବା ଯୌନ ଶୋଷଣ ମାମଲାରେ, ଗୁରୁବାର ଦିଲ୍ଲୀ ପୋଲିସ ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀର ଦୁଇଟି ଭିନ୍ନ ଭିନ୍ନ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ । ଏଥିରୁ ଗୋଟିଏ ଚାର୍ଜସିଟ୍ ୬ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କ୍ରମେ ରାଉଜ୍ ଏଭିନ୍ୟୁ କୋର୍ଟରେ ଦାଖଲ କରାଯାଇଛି । ସେହିପରି ଅନ୍ୟ ଏକ ଚାର୍ଜସିଟ୍ ନାବାଳିକା କୁସ୍ତିଯୋଦ୍ଧାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଆଧାରରେ ପଟିଆଲା କୋର୍ଟରେ ଦାଖଲ କରିଛି ଦିଲ୍ଲୀ ପୋଲିସ । ତେବେ ନାବାଳିକାଙ୍କ ଦ୍ୱାରା କରାଯାଇଥିବା ଏତଲାରେ ଦିଲ୍ଲୀ ପୋଲିସ, ବ୍ରିଜଭୂଷଣଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । କାରଣ ନାବାଳିକା ଜଣଙ୍କ ବ୍ରିଜଭୂଷଣଙ୍କ ବିରୋଧରେ କରିଥିବା ମାମଲାକୁ ପ୍ରତ୍ୟାହାର କରିନେଇଥିଲେ ।

Advertisment

କୋର୍ଟରେ ହାଜର ହୋଇ ନାବାଳିକା ଜଣଙ୍କ କହିଥିଲେ, ପ୍ରତିଯୋଗିତାରେ ଭାଗ ନେବା ପାଇଁ ତାଙ୍କୁ ଚୟନ କରାଯାଇ ନଥିବାରୁ ରାଗ ଓ ବିଶାଦରେ ଆସି ସେ ବ୍ରିଜଭୂଷଣଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ । ହେଲେ ବିବାଦ ବଢିବାରୁ ସେ ନିଜ ମାମଲା ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏହି ମାମଲାରେ ବ୍ରିଜଭୂଷଣଙ୍କୁ କ୍ଲିନଚିଟ୍ ଦେଇଛି ପୋଲିସ ।

ଭିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଏବଂ ଅନ୍ୟ ୬ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଏବେ ବି ବିଚାରଧିନ ରହିଛି । ଦୀର୍ଘ ଦିନ ଧରି କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଭିତରେ ବିବାଦ ଲାଗି ରହିଛି । ତଦନ୍ତ ଓ ମାମଲାର ସମାଧାନ ନ ହେବା ପର୍ଯ୍ୟନ୍ତ କୁସ୍ତି ମହାସଂଘରୁ ବ୍ରିଜଭୂଷଣ ଦୂରରେ ରହିବେ ବୋଲି ତାଙ୍କୁ କୁହାଯାଇଛି । ତେବେ ବ୍ରିଜଭୂଷଣ ଆରମ୍ଭରୁ ହିଁ ତାଙ୍କ ବିରୋଧରେ କରାଯାଉଥିବା ସବୁ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ।