ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା । ବ୍ରିଜ ଭୂଷଣଙ୍କୁ ୨୪ ଘଂଟା ମଧ୍ୟରେ ପଦ ଛାଡିବାକୁ କ୍ରୀଡା ମନ୍ତ୍ରାଳୟ କହିଥିବା ସୂଚନା

112

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହଙ୍କୁ ୨୪ ଘଂଟା ମଧ୍ୟରେ ପଦ ଛାଡିବାକୁ କୁହାଯାଇଥିବା ସୂଚନା । ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ରହିଛି । ଗତକାଲି ବିଳମ୍ବିତ ରାତିରେ ଆନ୍ଦୋଳନରେ ବସିଥିବା ରେସଲରଙ୍କ ସହ କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆଲୋଚନା କରିଥିଲେ । ହେଲେ ବ୍ରିଜ ଭୂଷଣଣଙ୍କୁ ପଦରୁ ହଟାଇବାକୁ ସେମାନେ ଅଡି ବସିଥିଲେ । ଏହାପରେ ବ୍ରିଜ ଭୂଷଣ ସିଂହଙ୍କୁ ପଦ ଛାଡିବାକୁ କୁହାଯାଇଥିବା ସୂଚନା ରହିଛି ।

ଅନୁରାଗ ଠାକୁର ବୈଠକ କରିବା ବେଳେ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗାଟ୍, ସରିତା ମୋର ଓ ସୁମିତ୍ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ବ୍ରିଜଭୂଷଣଙ୍କୁ ସଭାପତି ପଦରୁ ବିଦା କରିବା ପାଇଁ କ୍ରୀଡ଼ା ମନ୍ତ୍ରାଳୟର ଅଧିକାରୀଙ୍କୁ ଭେଟି ମହାସଂଘକୁ ଭଙ୍ଗ କରିବାକୁ ଦାବି କରିଥିଲେ କୁସ୍ତିଯୋଦ୍ଧା । ଅନ୍ୟପଟେ ୭୨ ଘଂଟା ଭିତରେ ଜବାବ ଦେବାକୁ କୁସ୍ତି ମହସଂଘକୁ ନିର୍ଦ୍ଦେଶ ଦେଇଛି କ୍ରୀଡ଼ା ମନ୍ତ୍ରାଳୟ । ମହିଳା କୁସ୍ତିଯୋଦ୍ଧାଙ୍କ ସହ ଯୌନ ନିର୍ଯାତନା, ଅଶାଳୀନ ବ୍ୟବହାର, ଜାତିବାଦ ଭଳି ଗୁରୁତର ଅଭଯୋଗର ଲମ୍ବା ତାଲିକା ରହିଛି କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରନ ସିଂଙ୍କ ବିରୋଧରେ । ସେପଟେ ଏହାକୁ ନେଇ ରାଜନୀତିକରଣ ମଧ୍ୟ ଆରମ୍ଭ ହୋଇଛି । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରି କଂଗ୍ରେସ ତୁରନ୍ତ ମାମଲାର ସମାଧାନ ପାଇଁ ଦାବି କରିଛି ।