କନକ ବ୍ୟୁରୋ :  ବିଭିନ୍ନ ପାରମ୍ପରିକ  କାର୍ଯ୍ୟରୁ ବାହାରି ଅଣପାରମ୍ପରିକ ଓ ବୈଷୟକ କାମ ହାତକୁ ନେଇ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଶେଷ ସଫଳତା ପ୍ରଦର୍ଶନ କରିପାରିଛନ୍ତି । ଏବେ ରାଜ୍ୟର ୪୦ ଜଣ ମିଶନ ଶକ୍ତିର ମା’ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମରେ ତାଲିମ ଶେଷ କରି ଗ୍ରାମାଞ୍ଚଳରେ ଏହି ଆଧୁନିକ ପ୍ରସାଧାନ ସେବା ଯୋଗାଇ ଦେବା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ।

Advertisment

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ପ୍ରତିଷ୍ଠିତ ୱାର୍ଲଡ ସ୍କିଲ୍ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମର  ଆୟୋଜନ କରାଯାଇଥିଲା । ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ବିଶେଷ ପାଠ୍ୟକ୍ରମ ମାଧ୍ୟମରେ ୧୭ଟି ଜିଲ୍ଲାରୁ ଆସିଥିବା ଏସଏଚଜି ମା’ମାନେ ଯୋଗ ଦେଇଥିଲେ । ସେମାନଙ୍କୁ ଆଧୁନିକ ପ୍ରସାଧାନ ସେବା ଅଧୀନରେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକଅପ୍, ସାମ୍ପୁ ଓ ହେଡ୍ ମସାଜ୍, ବେସିକ୍ ହେୟାର କଟିଂ, ପେଡିକିୟୋର ଏବଂ ମ୍ୟାନିକିୟୋର ଆଦି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।

publive-image

ଏହି ପ୍ରଥମ ବ୍ୟାଚ ତାଲିମ କାର୍ୟ୍ୟକ୍ରମ ଶେଷରେ ଗୁରୁବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମିଶନ ଶକ୍ତି ବିଭାଗର ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଲିମ ଶେଷ କରିଥିବା ଏସଏଚଜି ମହିଳାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

 ‘‘ଏସଏଚଜିକୁ ଏସଏମଇରେ ପରିଣତ କରିବା ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ତେଣୁ ରାଜ୍ୟର ଏସଏଚଜି ମହିଳାମାନଙ୍କୁ ବିଭିନ୍ନ ବିଷୟରେ ଉନ୍ନତ ମାନର ତାଲିମ ଦିଆଯାଉଛି। ଏସଏଚଜି ମା’ମାନେ ଆର୍ଥିକ, ସାମାଜିକ ଆଦି କ୍ଷେତ୍ରରେ କିପରି ପ୍ରତିଷ୍ଠିତ ହୋଇ ସ୍ୱତନ୍ତ୍ର ପରିଚୟ ପାଇବେ ତା’ ଉପରେ ସରକାରଙ୍କ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ଆଗାମୀ ଦିନରେ ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ବିକାଶ ବିଭାଗର ସହଯୋଗରେ ବ୍ଲକ ସ୍ତରରେ ମହିଳାମାନଙ୍କୁ ବିଭିନ୍ନ ବଜାର-ଉପଯୋଗୀ ବିଷୟରେ ତାଲିମ ଦେବା ପାଇଁ ମଧ୍ୟ ଲକ୍ଷ୍ୟ ରହିଛି’’, କହିଛନ୍ତି ସୁଜାତା ଆର୍ କାର୍ତ୍ତିକେୟନ୍।

publive-image

‘‘ମିଶନ ଶକ୍ତି ବିଭାଗ ଏବଂ ସ୍କିଲଡ ଇନ ଓଡ଼ିଶାର ମିଳିତ ସହଯୋଗରେ ଏସଏଚଜି ମା’ମାନଙ୍କୁ ବ୍ରାଇଡାଲ ମେକଅପ୍ ଭଳି ଆଧୁନିକ ବିଷୟରେ ତାଲିମ ଦିଆଯାଇଛି। ଏହା ଗ୍ରାମାଞ୍ଚଳ ମହିଳାମାନଙ୍କ କାର୍ୟ୍ୟ ଦକ୍ଷତା ବୃଦ୍ଧି କରିବା ସହ ସେମାନଙ୍କ ଜୀବନକୁ ଏକ ନୂଆ ମୋଡ଼ ଦେଇପାରିବ। ସଶକ୍ତ ଓଡ଼ିଶା ଗଠନ ଦିଗରେ ଏଭଳି ତାଲିମ କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ’’, ଏହି ଅବସରରେ କହିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ  କାର୍ଯ୍ୟନିର୍ବାହୀ  ଅଧିକାରୀ ଅଳକା ଆରୋରା ମିଶ୍ର ।

ଏହି ୩୦ ଦିନିଆ ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ପାଠ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଉଦଘାଟନ କରିଥିଲେ । ବର୍ତ୍ତମାନ ବ୍ରାଇଡାଲ ମେକଅପ୍ ଏବଂ ବିଭିନ୍ନ ଆନୁସଙ୍ଗିକ ପ୍ରସାଧାନ ସେବା ମୁଖ୍ୟତଃ ବଡ଼ ବଡ଼ ସହରରେ ସୀମିତ ହୋଇ ରହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏହି ବିଷୟରେ ତାଲିମ ଦିଆଯିବା ଫଳରେ ସେମାନେ ଏବେ ଗ୍ରାମାଞ୍ଚଳରେ ସାଲୁନ୍, ବ୍ୟୁଟି ପାର୍ଲର ଏବଂ ସ୍ପା ଆଦି ଖୋଲି ଏହି ସେବା ଦେଇପାରିବେ । ଫଳରେ ସଂପୃକ୍ତ ମହିଳମାନେ ସ୍ୱାବଲମ୍ବୀ ହେବା ସହ ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ଜୀବିକା ସୃଷ୍ଟି କରିପାରିବେ।

publive-image

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ଆଧୁନିକ  ପରିବେଶ ଭିତରେ ତାଲିମ ଦିଆଯାଇଥିଲା। ସେମାନେ ନିଜ ହାତରେ ମେକଅପ୍, ହେୟାର ଷ୍ଟାଇଲିଂ ଏବଂ ସ୍ପା’ର ବିଭିନ୍ନ ସେବା ଅଭ୍ୟାସ କରିଥିଲେ। ଏଥିପାଇଁ ଆବଶ୍ୟକ ଆଧୁନିକ ଯନ୍ତ୍ରପାତି, ସହାୟକ ସାମଗ୍ରୀ ଆଦି ଯୋଗାଇ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଏସଏସଚଜି ମା’ମାନଙ୍କ ମାଗଣାରେ ରହିବା, ଖାଇବା ବ୍ୟବସ୍ଥା ଓ ଯାତାୟତ ସୁବିଧା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ସର୍ଭିସେସର ନିର୍ଦ୍ଦେଶକ ସୁଗୁଣା ଶ୍ରୀନିବାସନ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ସୁଭଙ୍ଗ କୁମାର ଦାସ ତଥା ସିଙ୍ଗାପୁରସ୍ଥିତ ବୈଷୟିକ ସହଯୋଗୀ ଅନୁଷ୍ଠାନ ଆଇଟିଇଇଏସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।