ରୋଗୀକୁ ହସ୍ପିଟାଲ ନେଲେ ବ୍ରହ୍ମପୁର ବିଧାୟକ : ଚିକିତ୍ସା ଅବହେଳାରୁ ରାସ୍ତାରେ ବସି ରହିଥିଲେ ରୋଗୀଙ୍କ ପରିବାର

203

କନକ ବ୍ୟୁରୋ : ଚିକିତ୍ସା ଅଭାବରୁ ରାସ୍ତାକଡରେ ଜୀବନ ବିତାଉଥିବା ଏକ ପରିବାର ଉପରେ ପଡିଲା ବ୍ରହ୍ମପୁର ବିଧାୟକଙ୍କ ନଜର । ଆଉ ନିଜ ଉଦାର ହୃଦୟର ପରିଚୟ ଦେଇ ତାଙ୍କୁ ହସ୍ପିଟାଲ ନେବା ସହ ଚିକିତ୍ସା ବ୍ୟବସ୍ଥା କଲେ ବିଧାୟକ ବିକ୍ରମ ପଣ୍ଡା । ବିଧାୟକ କୌଣସି କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଗିରିରୋଡ଼ ଛକରେ ରାସ୍ତା କଡରେ ବସିଥିବା ଏକ ପରିବାର ଉପରେ ତାଙ୍କର ପଡିଥିଲା ନଜର । ବୁଝିବା ବେଳକୁ ୩ ପ୍ରାଣୀଙ୍କୁ ନେଇ ଚଳୁଥିବା ଏହି ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶୁଶାନ୍ତ ରୋଗଗ୍ରସ୍ତ ।

ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଗୋଡ଼ରେ ଲୁହା କଂଟା ପଶି ଗୋଡଟି ସେପଟିକ୍ ହୋଇଯାଇଥିଲା । ଭଞ୍ଜନଗର ହସ୍ପିଟାଲରେ ଦେଖାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇନଥିଲେ । ଅନ୍ୟ ଉପାୟ ନପାଇ ଶୁଶାନ୍ତ ନିଜ ଛୋଟ ଝିଅ ଓ ପତ୍ନୀଙ୍କୁ ସାଙ୍ଗରେ ନେଇ ବହୁ କଷ୍ଟରେ ବ୍ରହ୍ମପୁର ଆସିଥିଲେ । ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପାଖରେ ପହଂଚିଥିଲେ ସୁଦ୍ଧା ତାଙ୍କୁ ଚିକିତ୍ସାମିଳିନଥିଲା । ଏଣେ ତେଣେ ବୁଲି ରାସ୍ତା କଡରେ ଜୀବନ ବିତାଉଥିଲେ ଶୁସାନ୍ତଙ୍କ ପରିବାର । କିଛି ସ୍ଥାନୀୟ ଲୋକଙ୍କ ଠାରୁ ଏବାବଦରେ ସୂଚନା ପାଇ ସେଠାରେ ପହଂଚିଥିଲେ ବ୍ରହ୍ମପୁର ବିଧାୟକ ।

ଶୁଶାନ୍ତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ ମେଡିକାଲ ପଠାଇଥିଲେ । କିଛି ଆର୍ଥିକ ସହାୟତା ମଧ୍ୟ କରିଥିଲେ । ବିଧାୟକଙ୍କଠାରୁ ଖବର ପାଇ ଉପଜିଲ୍ଲାପାଳଙ୍କ ନିର୍ଦେଶରେ ରେଡକ୍ରସ ପାଣ୍ଠିରୁ ମଧ୍ୟ ତାଙ୍କୁ ୫ ହଜାର ଟଙ୍କା ଦିଆଯାଇଛି ।