୧୪ ବର୍ଷର ବାଳକର ଅଙ୍ଗଦାନ ବଞ୍ଚାଇଲା ୬ ଜୀବନ । ତିନିଟି ଗ୍ରୀନ କରିଡର କରି ନିଆଗଲା ଅଙ୍ଗପ୍ରତ୍ୟେଙ୍ଗ

138

କନକ ବ୍ୟୁରୋ : ସୁରତର ସବୁଠାରୁ କମ୍ ବୟସର ବ୍ରେନ୍ ଡେଡ୍ ବାଳକର ଦୁଇ ହାତ ଦାନ । ଗ୍ରୀନ୍ କରିଡର କରି ଚାଟାର୍ଡ ବିମାନ ଦ୍ୱାରା ୧୦୫ ମିନିଟରେ ମୁମ୍ବାଇରେ ପହଞ୍ଚାଗଲା । ଲେଉଆ ପାଟିଦାର ସମାଜର ୧୪ ବର୍ଷୀୟ ବାଳକ ଧାର୍ମିକ ଅଜୟଭାଇ କାକଡିଆଙ୍କ ହାର୍ଟ, ଲିଭର, ଆଖି ସହିତ ଦୁଇ ହାତ ଦାନ କରାଯାଇଛି । ଯାହା ଦ୍ୱାରା ୬ ଜଣଙ୍କ ଜୀବନରେ ଆଶାର ଆଲୋକ ସଞ୍ଚାର ହୋଇଛି । ଗତ ୨୭ ତାରିଖରେ ତାଙ୍କର ବାନ୍ତି ହେବା ସହ ବ୍ଲଡ ପ୍ରେସର ବଢିଯିବାରୁ ସୁରତ ସ୍ଥିତ କିରଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୨୯ ତାରିଖରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହା ପରେ ପରିବାର ପକ୍ଷରୁ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତିନିଟି ଗ୍ରୀନ୍ କରିଡର କରି ଲିଭରକୁ ଅହମ୍ମଦାବାଦର ଯାଏଦାସ ହସ୍ପିଟାଲ, ହାର୍ଟକୁ ଅହମ୍ମଦାବାଦର ଶାସ୍ମି ହସ୍ପିଟାଲ ଓ ହାତକୁ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲ ନିଆଯାଇଥିଲା । ସୁରତ କିରଣ ହସ୍ପିଟାଲରୁ ୨୯୨ କିଲୋମିଟର ଦୂର ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲକୁ ମାତ୍ର ୧୦୫ ମିନିଟରେ ହାତକୁ ପହଞ୍ଚାଯାଇଥିଲା ।

ଗ୍ଲୋବାଲ ହସ୍ପିଟାଲରେ ଜଣେ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଛି । ଦେଶରେ ପ୍ରଥମ ଥର ୨୦୧୫ରେ କୋଚିର ଅମୃତା ହସ୍ପିଟାଲରେ ହାତର ପ୍ରତିରୋପଣ କରାଯାଇଥିଲା । ସୁରତର ଏହି ହାତ ପ୍ରତିରୋପଣ ୧୯ ତମ ଟ୍ରାନ୍ସପ୍ଲାଂଟ ଓ ୧୪ ବର୍ଷୀୟ ବାଳକର ହାତ ପ୍ରତିରୋପଣ ଦେଣଶରେ ପ୍ରଥମ ।