ଝିମିଟି ଖେଳରୁ ମହାଭାରତ ! ଗାଡି ଧକ୍କା କରିବାକୁ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କଲେ ଗାଁ ଲୋକ, ୨୫ ଜଣଙ୍କ ନାଁରେ ଏତଲା

41

କନକ ବ୍ୟୁରୋ : ଯୁବକଙ୍କୁ ପିଟିପିଟି ମାରିଦେଲେ । ସାମାନ୍ୟ ବଚସାରୁ ରାଜଧାନୀରେ ଜଣେ ଯୁବକଙ୍କୁ ଗାଁ ଲୋକ ପିଟିପିଟି ମାରିଦେଇଛନ୍ତି । ବାଉନ୍ସର ଭାବେ କାମ କରୁଥିବା ଯୁବକ ଜଣକ ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି । ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ପ୍ରାୟ ୨୫ ଜଣଙ୍କ ନାଁରେ ଏତଲା ହୋଇଛି ।

ରାଜଧାନୀର ସରକନ୍ତରା କେନାଲ ରୋଡ୍ । ସମୟ ପାଖାପାଖି ରାତି ୮ଟା । ଆଗେ ଆଗେ ଦୌଡୁଥାନ୍ତି ଜ୍ୟୋତି ରଂଜନ ବଳିୟାରସିଂ ଓରଫ ଟିଟନ୍ । ବାଉଁସର ଭାବେ କାମ କରୁଥିବା ଟିଟନକୁ ଗୋଡାଉଥାନ୍ତି ବାହଦଲପୁରର ପ୍ରାୟ ୨୦ରୁ ଅଧିକ ଲୋକ । ବେଶ କିଛି ସମୟ ଧରି ବାଉଁସର ଟିଟନଙ୍କୁ ଗୋଡାଉଥାନ୍ତି ଗ୍ରାମବାସୀ । କେତେବେଳେ ଟିଟନ୍ ଗାଁ ଲୋକଙ୍କୁ ଧକ୍କା ମାରି ଖସି ଯିବାକୁ ଉଦ୍ୟମ କରୁଥାନ୍ତି ତ ପୁଣି କେତେବେଳେ ଗାଁ ଲୋକେ ଟିଟନଙ୍କୁ ଧରି ବିଧା ଗୋଇଠା କଷି ଦେଉଥାନ୍ତି । ଏପରିକି ଟିଟନଙ୍କୁ ଯିଏ ଯେଉଁଥିରେ ପାରୁଥାଏ ଗୋଡାଇ ଗୋଡାଇ ପିଟୁଥାଏ । ରକ୍ତରେ ଜୁଡୁବୁଡୁ ହୋଇଯାଇଥିବା ଟିଟନ୍ ଜୀବନ ପାଇଁ ଭିକ୍ଷା ମାଗୁଥିଲେ ବି କେହି ଶୁଣିବାକୁ ନାରାଜ୍ । ଶେଷରେ ଗାଁ ଲୋକେ ପିଟିପିଟି ଟିଟନଙ୍କୁ ହତ୍ୟାକରି ଘଟଣା ସ୍ଥଳରେ ଫୋପାଡି ଫେରାର ହୋଇଗଲେ ।

ଟିଟନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଏପରିକି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଲୋକେ ରାଜରାସ୍ତା ଅବରୋଧ କରିଥିଲେ । ତେବେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୨ ଯୁବକଙ୍କୁ ଏୟାରଫିଲଡ ଥାନା ପୁଲିସ ଗିରଫ କରିଛି । ତମାମ ଘଟଣାକୁ ନେଇ ତଦନ୍ତ ଚାଲିଛି ଏବଂ ଖୁବଶୀଘ୍ର ଅନ୍ୟ ଦୋଷୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଡିସିପି । ବାହାଘର ଭୋଜି ଖାଇ ନିଜର ୨ ସାଙ୍ଗଙ୍କ ସହ ଟିଟନ ଫେରୁଥିବା ବେଳେ, ସରକନ୍ତରା କେନାଲ ରୋଡରେ ଗାଡି ଧକ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଝିମିଟି ଖେଳରୁ ମହାଭାରତ ଭଳି, ସାମାନ୍ୟ ବଚସାରୁ ଗାଁ ଲୋକେ ଟିଟନଙ୍କୁ ପିଟିପିଟି ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।