ବୌଦ୍ଧରେ ଓଲଟିଲା ବସ୍ ! ୧ ମୃତ, ୩୦ ଆହତ

247

କନକ ବ୍ୟୁରୋ : ବୌଦ୍ଧରେ ଓଲଟିଲା ବସ୍ । ଗତକାଲି ବିଳମ୍ବିତ ରାତିରେ କଟକରୁ ଖରିଆରରୋଡ୍ ସିନାପାଲି ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ବୌଦ୍ଧ ଜିଲ୍ଲାରେ ଓଲଟି ପଡ଼ିଥିଲା । ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବରପାଇ ପୁଲିସ, ଦମକଳ ଓ ୧୦୮ଆମ୍ବୁଲାନ୍ସର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ମିଳଥିିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କଟକରୁ ଖରିଆରରୋଡ୍‌ ଯାଉଥିିବା ଓ ଡ଼ି ୨୦ ସି ୯୮୭୭ ନମ୍ବର ବିଶିଷ୍ଟ ଜୟମାତାଦୀ- ମା ଶୈଳପୂତ୍ରୀ ନାମକ ଘରୋଇ ଯାତ୍ରୀବାହୀ ବସ ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଠିଡ଼ିକା ଜୋର ନିକଟରେ ରାତି ପ୍ରାୟ ୨ଟା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ବସରେ ଚାପି ହୋଇ ଖରିଆର ରୋଡ୍‌ର ଶାରଦପ୍ରସନ୍ନ ବଲ୍ଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘର୍ଟଣାରେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି । ପୁଲିସ ଆହତମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।