ବଲିଉଡର ପିଛା ଛାଡ଼ୁନି ବୟକଟ୍ ଟ୍ରେଣ୍ଡ । ଆମିର, ଅକ୍ଷୟଙ୍କ ପରେ ଏବେ ଟାର୍ଗେଟରେ ସଲମାନ୍ ଓ ଶାହାରୁଖ

207

କନକ ବ୍ୟୁରୋ : ସୋସିଆଲ ମିଡିଆ ଏମିତି ବଲିଉଡରେ ଏବେ ଜୋର ଧରିଛି ବୟକଟ୍ ଟ୍ରେଣ୍ଡ । ବୟକଟର ସିଧାସଳଖ ପ୍ରଭାବ ଫିଲ୍ମ ଉପରେ ପଡ଼ୁଛି । ବଡ଼ ବ୍ୟାନର ଓ ନାମୀ ଷ୍ଟାରଙ୍କ ଫିଲ୍ମ ଫ୍ଲପ୍ ହେଇଯାଉଛି । ପ୍ରଥମେ ଲାଲ ସିଂ ଚଡ୍ଡା, ପଠାନ ଓ ରକ୍ଷାବନ୍ଧନକୁ ବୟକଟ୍ କରିବା ନେଇ ଟ୍ରେଣ୍ଡ ହୋଇଥିଲା । ଏବେ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଆଗାମୀ ଫିଲ୍ମ ‘ଟାଇଗର୍-୩’କୁ ବୟକଟ୍ କରିବାକୁ ଦାବି କରାଯାଉଛି । ଆମିର ଖାନ୍, ଶାହରୁଖ ଖାନ୍ ଓ ଅକ୍ଷୟ କୁମାରଙ୍କ ପରେ ଏବେ ସୋସିଆଲ ମିଡିଆ ଟ୍ରୋଲରଙ୍କ ଟାର୍ଗେଟରେ ସଲମାନ୍ ଖାନ୍ । ଏହି ବୟକଟ୍ ଟ୍ରେଣ୍ଡକୁ ଦେଖି ଲାଗୁଛି ଯେପରି ସୋସିଆଲ ମିଡିଆ ୟୁଜର ବଲିଉଡର ବଡ଼ କଳାକାରଙ୍କ ଫିଲ୍ମକୁ ନଦେଖିବାକୁ ମନ ବଳାଇ ସାରିଛନ୍ତି ।

 ନିକଟରେ ଆମିର ଖାନ୍ ‘ଲାଲ ସିଂ ଚଡ୍ଡା’ ଓ ଅକ୍ଷୟ କୁମାର ଅଭିନୀତ ‘ରକ୍ଷା ବନ୍ଧନ’କୁ ବୟକଟ୍ କରିବା ନେଇ ସୋସିଆଲ ମିଡିଆରେ ଅଭିଯାନ ଆରମ୍ଭ ହୋଇଥିଲା । ଆମିରଙ୍କ ଫିଲ୍ମ ବିବାଦକୁ ଆସିବାର ମୁଖ୍ୟ କାରଣ ହେଉଛି ୨୦୧୫ରେ ଆମିର ଖାନ ଓ ତାଙ୍କ ସ୍ତ୍ରୀଙ୍କ ଏକ ବୟାନ । ଏକ ଇଂଟରଭ୍ୟୁରେ ଆମିର ଖାନ କହିଥିଲେ ଦେଶରେ ଅସହିଷ୍ଣୁତା ବଢି ବଢି ଚାଲିଛି । ଏହି ପ୍ରସଙ୍ଗରେ ତାଙ୍କ ସ୍ତ୍ରୀ କିରନ୍ କହିଥିଲେ, ମୁଁ ଓ ଆମ ଶିଶୁ ଭାରତରେ ସୁରକ୍ଷିତ ନୁହନ୍ତି । ଏହି ବୟାନ ୨୦୧୫ରେ ଚର୍ଚାର ପରିସରକୁ ଆସିଥିଲା । ବଲିଉଡ୍ରେ ମଧ୍ୟ ତାଙ୍କର ଏ କଥାକୁ ପସନ୍ଦ କରିନଥିଲେ କିଛି ଅଭିନେତା ଓ ଅଭିନେତ୍ରୀ । ଆଉ ଏହି ବିବାଦ ପାଇଁ ଆମୀରଙ୍କ ଫିଲ୍ମ ବକ୍ସ ଅଫିସରେ ଫେଲ୍ ମାରିଛି । ଏମିତିକି ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷା ବନ୍ଧନ’ ମଧ୍ୟ କିଛି କମାଲ କରିବାରେ ସଫଳ ହେଲା ନାହିଁ ।

‘ବୟକଟ୍ ବଲିଉଡ୍’ ପ୍ରଭାବ?
– ବଲିଉଡ ଫିଲ୍ମ ବାର୍ଷିକ ୧.୩୯ ଲକ୍ଷ କୋଟି ଟଙ୍କା ଆୟ କରିଥାଏ
– କରୋନା କାରଣରୁ ଦୁଇବର୍ଷ ଧରି ପ୍ରଭାବିତ ହୋଇଥିଲା ବଲିଉଡ୍ ଫିଲ୍ମ
– କଳାକାରଙ୍କ ବ୍ୟବସାୟ ଏକପ୍ରକାର ଠପ୍ ପଡ଼ିଥିଲା
– ଦୁଇବର୍ଷ ପରେ ପୁଣିଥରେ ଟ୍ରାକକୁ ଫେରିବାକୁ ଚାହୁଁଛି ବଲିଉଡ୍
– କିନ୍ତୁ ‘ବୟକଟ୍ ଟ୍ରେଣ୍ଡ’ ବଲିଉଡ୍ ପାଇଁ କାଳ ସାଜିଛି
– ପ୍ରଥମଥର ବଲିଉଡ୍ ଇତିହାସରେ ଗତ ୮ମାସରେ ରିଲିଜ୍ ହୋଇଥିବା ୨୯ରୁ ୨୬ ଫିଲ୍ମ ଫ୍ଲପ୍ ହୋଇଛି
– ନିକଟରେ ଆମୀର ଖାନ୍ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଫ୍ଲପ୍ ହୋଇଛି
– ବକ୍ସ ଅଫିସରେ ଫେଲ୍ ମାରିଲା ‘ଲାଲ୍ ସିଂ ଚଡ୍ଡା’ ଓ ‘ରକ୍ଷା ବନ୍ଧନ’
– ଗୋଟିଏ ପଟେ ନୂଆ ଫିଲ୍ମର ଘୋଷଣା ହେଉଛି, ସେପଟେ ‘ବୟକଟ୍ ବଲିଉଡ୍’ ଟ୍ରେଣ୍ଡ ଆରମ୍ଭ ହେଇଯାଉଛି
– ବୟକଟ୍ ବଲିଉଡ୍ ଦ୍ୱାରା ଫିଲ୍ମର ବ୍ୟବସାୟ ଉପରେ ପ୍ରଭାବ ପକାଉଛି
– ଫିଲ୍ମ ନିର୍ମାତା, କଳାକାର ଓ ଅନ୍ୟ କର୍ମଚାରୀଙ୍କ ପ୍ରାପ୍ୟ ଉପରେ ପକାଇବ ପ୍ରଭାବ

ବଲିଉଡ୍ ବିରୋଧରେ ଏଭଳି ଟ୍ରେଣ୍ଡ କେବେ ଦେଖିବାକୁ ମିଳିନାହିଁ । ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ସୋସିଆଲ ମିଡିଆ ୟୁଜର ‘ବଲିଉଡ୍ ବୟକଟ୍’ କରିବାକୁ ନିଷ୍ପତି ନେଇଥିଲେ । ଯଦି ଏମିତି ବୟକଟ୍ ଟ୍ରେଣ୍ଡ ଜାରି ରହିବ, ତାହେଲେ ଆଗକୁ ବଲିଉଡର ସ୍ଥିତି ଆହୁରି ଖରାପ ହେବା ନେଇ ଆଶଙ୍କା କରାଯାଉଛି ।