ଯଦି ଏହି କଳାକାରମାନେ ଭାଙ୍ଗିଯାଇଥିବା ବନ୍ଧୁତ୍ୱକୁ ପୁଣି ଯୋଡି ଦିଅନ୍ତେ. . . ! ବନ୍ଧୁତା ପୁଣି ଝଲସି ଉଠନ୍ତା
Kanak News is now on WhatsApp
Join and get latest news updates delivered to you via WhatsApp
ବଲିଉଡର ଏମିତି ଅନେକ କଳାକାର ଯୋଡି ଅଛନ୍ତି, ଯାହାଙ୍କ ବନ୍ଧୁତାର ପଟାନ୍ତର ନାହିଁ । ଏମିତି ବନ୍ଧୁତାକୁ ସଲାମ କରାଯାଏ । କିନ୍ତୁ ଏବେ ଏମାନଙ୍କ ଭିତରେ ସେହି ବନ୍ଧୁତାରେ ପୂର୍ଣ୍ଣଚ୍ଛେଦ ପଡିଛି । ‘ବନ୍ଧୁତା ଦିବସ’ରେ ଆସନ୍ତୁ ଜାଣିବା ଏମିତି ବନ୍ଧୁଙ୍କ ବନ୍ଧୁତା ବିଷୟରେ । ଆଉ ଆଶା କରିବା ପୁଣି ଏହି ବନ୍ଧୁତା ଯୋଡି ହୋଇଯାଉ ।
ସଲମାନ ଖାନ୍ –ସଂଜୟ ଦତ୍ତ : ଅଭିନେତା ସଲମାନ ଓ ସଂଜୟଙ୍କ ବନ୍ଧୁତା ଖୁବ୍ ଚର୍ଚ୍ଚିତ ଥିଲା । କିନ୍ତୁ ଏବେ ଏମାନଙ୍କ ଭିତରେ ସଂପର୍କ ଭଲରେ ନାହିଁ । ଯେତେବେଳେ ସଂଜୟ ଦତ୍ତ ଜେଲରୁ ବାହାରିଲେ ତାଙ୍କୁ ଦେଖାକରିବାକୁ ବି ସଲମାନ ଯାଇନଥିଲେ । ଏହି କଥାରେ ଖୁବ୍ ମନଦୁଃଖ କରିଥିଲେ ସଂଜୟ ଏବଂ ସେମାନଙ୍କର ବନ୍ଧୁତା ପାଣିଚିଆ ହୋଇଯାଇଥିଲା । ଆଉ ମଧ୍ୟ ଶୁଣାଯାଏ , ଏହି ବନ୍ଧୁତା ତୁଟିବାର ଆଉ ଏକ କାରଣ ସଂଜୟ ଦତ୍ତଙ୍କ ଦ୍ୱାରା ନିଜ ମ୍ୟାନେଜର ରେଶମା ସେଟ୍ଟିଙ୍କୁ ହଟାଇବା ଘଟଣା ।
କରଣ ଜୋହର –କାଜୋଲ୍ : ଏହି ଦୁଇଜଣଙ୍କର ବନ୍ଧୁତା ୨୫ ବର୍ଷର ପୁରୁଣା ସଂପର୍କ ଥିଲା । କିନ୍ତୁ ଗତ ବର୍ଷ ଏହି ବନ୍ଧୁତାରେ ଦୂରତା ବଢିଗଲା । ଏହାର କାରଣ କରଣ ଓ କାଜୋଲଙ୍କ ସ୍ୱାମୀ ଅଜୟଙ୍କ ଫିଲ୍ମକୁ ନେଇ ମତଭେଦ । ଫିଲ୍ମ ‘ୟେ ଦିଲ୍ ହେ ମୁସ୍କିଲ୍’ ଓ ‘ଶିବାୟ’ ଗୋଟିଏ ଦିନରେ ରିଲିଜ ହୋଇଥିଲା । ନିଜର ଏହି ବନ୍ଧୁତା ତୁଟି ଯିବା ପରେ କରଣ ଜୋହର କହିଥିଲେ , ବେଳେବେଳେ ପୃଷ୍ଠା ସରିଯାଏ । ଆଉ ବହି ସରିଯାଏ । ସେମିତି ସଂପର୍କର ପୃଷ୍ଠା ବି ସରିଯାଏ ।
କପିଲ ଶର୍ମା-ସୁନୀଲ୍ ଗ୍ରୋଭର : କମେଡି ଦୁନିଆର ଏହି ପ୍ରସିଦ୍ଧ ଯୋଡି ଲମ୍ବା ସମୟ ଧରି ଦର୍ଶକଙ୍କୁ ହସାଉଥିଲେ । କିନ୍ତୁ ଏହି ଅତୁଟ ବନ୍ଧୁତାରେ ବିଗତ ଦିନରେ ବିବାଦର କଳା ବାଦଲ ଢାଙ୍କି ଦେଇଥିଲା । ସିଡନୀରୁ ଏକ କେମଡି ସୋ’ ସାରି ଫରିବା ବେଳେ ବିମାନରେ ଏହି ଦୁଇ ଦୋସ୍ତଙ୍କ ମଧ୍ୟରେ ଝଗଡା ସୂତ୍ରପାତ ହୋଇଥିଲା । ଫଳରେ ସୁନିଲ୍ କପିଲଙ୍କ ସୋ’ ଛାଡି ଦେଇଥିଲେ । ଆଉ ତାପରେ ଏହି ବନ୍ଧୁତାରେ ପଡିଥିଲା ପୂର୍ଣ୍ଣଚ୍ଛେଦ ।
ଗୋବିନ୍ଦା-ଡେବିଡ୍ ଧୱନ : ଅଭିନେତା- ନିର୍ଦ୍ଦେଶକଙ୍କ ଏହି ଯୋଡି ମିଶି ଅନେକ ଦିନଧରି ସୁପର-ଡୁପର ହିଟ୍ ଫିଲ୍ମ କରିଥିଲେ । କିନ୍ତୁ ତାଙ୍କର ଏହି ବନ୍ଧୁତାରେ କାହାର ନଜର ଲାଗିଗଲା । ଏହି ବର୍ଷ ଫେବୃୟାରୀରେ ଏକ ସାକ୍ଷାତକାରରେ ଗୋବିନ୍ଦା ଡେବିଡଙ୍କ ବିଷୟରେ କହିଥିଲେ ଯେ ଡେବିଡଙ୍କ ପ୍ରକୃତିରେ ଏକ ଡୋମିନେସ୍ ରହିଛି । ଯଦି କାହାର ଫିଲ୍ମ ହିଟ୍ ହୁଏ ତାଙ୍କୁ ଭଲ ଲାଗେ ନାହିଁ । ସେ ଈର୍ଷା ପରାୟଣ ହୋଇଥାନ୍ତି । ଆଉ ଏହାପରେ ସେମାନଙ୍କର ସଂପର୍କରେ ଭଟ୍ଟା ପଡିଥିଲା ।
ସଲିମ୍ ଖାନ୍ – ଜାଭେଦ୍ ଅଖତର : ସତର ଦଶକରେ ପଟ୍ଟକଥା ଲେଖକ ଏହି ଯୋଡି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ । ଏହି ଦୁଇଜଣ ଲେଖକ ପ୍ରଥମ ଯୋଡି ଥିଲେ , ଯାହାଙ୍କୁ ସମସ୍ତେ ପସନ୍ଦ କରୁଥିଲେ । ପରେ ଏମାନଙ୍କ ଭିତରେ ଦୂରତା ବଢିଯାଇଥିଲା । କିନ୍ତୁ ଏହାର କାରଣ କ’ଣ ଥିଲା ସାମନାକୁ ଆସିନଥିଲା ।