ବାଜିରେ ଲାଗିଛି ହଜାରେ କୋଟି! ଭାଇଜାନ ୫ବର୍ଷ ଜେଲରେ କାଟିଲେ ବୁଡିଯିବ ଫିଲ୍ମ ଇଣ୍ଡଷ୍ଟ୍ରିର ୧ହଜାର କୋଟି ଟଙ୍କା

32

କନକ ବ୍ୟୁରୋ : ୨ ଦଶକ ପୁରୁଣା କୃଷ୍ଣସାର ମୃଗ ଶିକାର ମାମାଲାରେ ସୁପରଷ୍ଟାର ସଲମାନ୍ ଖାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏବେ ସେ ଜେଲ୍ ଗଲେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ୧ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଇଛି ।

ସଲମାନଙ୍କୁ ୫ବର୍ଷର ଜେଲ୍ ଦଣ୍ଡ ହେବା ପରେ ଏବ ଇଣ୍ଡଷ୍ଟ୍ରୀର ବଡ ବଡ ନିର୍ଦ୍ଦେଶକ, ପ୍ରଯୋଜକଙ୍କ ବଢି ଯାଇଛି ଚିନ୍ତା । କାରଣ ସଲମାନଙ୍କ ଉପରେ ଲାଗିଛି କୋଟି କୋଟି ଟଙ୍କା । ସଲମାନ୍ ଜେଲ ଗଲେ ୧ହଜାର କୋଟି ଟଙ୍କାର ଉଦ୍ଧ୍ୱର୍ କ୍ଷତି ହେବ । ଲାଇନରେ ୪ଟି ସିନେମା ରହିଥିବା ବେଳେ ଆହୁରି ଅନେକ ଫିଲ୍ମର ଯୋଜନା ମଧ୍ୟ କରାଯାଇଛି । ଆଉ ଯଦି ସଲମାନ୍ ୫ ବର୍ଷ ଧରି ଜେଲ୍ ଦଣ୍ଡ ଭୋଗିବେ, ତାହାଲେ ପ୍ରଯୋଜକଙ୍କୁ ସହିବାକୁ ପଡିବ ଏତେ ବଡ କ୍ଷତି । ଏହି ତାଲିକାରେ ପ୍ରଥମେ ରହିଛି ରେସ୍- ଥ୍ରୀ । ସଲମାନ୍ ଖାନ୍ ଓ ରମେଶ ତୁରାନୀଙ୍କ ପ୍ରଯୋଜିତ ଏହି ସିନେମାର ପ୍ରାୟ ୯୦ ପ୍ରତିଶତ ସୁଟିଂ ଶେଷ ହୋଇଛି । ଆଉ ଚଳିତ ବର୍ଷ ଇଦରେ ରିଲିଜ୍ ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି । ରେସ୍ – ଥ୍ରୀ ପରେ ସଲମାନ୍ ନିର୍ଦ୍ଦେଶକ ଅଲ୍ଲି ଅବାସ ଜାଫର୍ଙ୍କ ‘ଭାରତ’, ସାଜିଦ୍ ନାଦିଆୱାଲାଙ୍କ କିକ୍ – ୨ ଏବଂ ଦବଙ୍ଗ – ଥ୍ରୀର ସୁଟିଂ କରିବାର ମଧ୍ୟ ସିଡ୍ୟୁଲ୍ କରାଯାଇଥିଲା । ହେଲେ ଏବେ ଚିନ୍ତାରେ ପଡିଛନ୍ତି ଏହି ସବୁ ଫିଲ୍ମର ନିର୍ମାତା ମାନେ ।

ଭାଇଜାନଙ୍କୁ ଯଦି ଜେଲରେ ୫ବର୍ଷ କାଟିବାକୁ ପଡେ ତେବେ ଏହାର ପ୍ରଭାବ ତାଙ୍କର ଟିଭି ସୋ’ ଗୁଡିକରେ ମଧ୍ୟ ପଡିବ । ‘ଦସ୍ କା ଦମ୍’ ସିରିଏଲ ନେଇ ସେ ଖୁବ୍ ଶୀଘ୍ର ଆସିବାର ଥିଲା । ଏହାର ପ୍ରମୋ ରିଲିଜ୍ ସରିଥିବା ବେଳେ ସୁଟିଂ ଆରମ୍ଭ ହୋଇନଥିଲା । ସେପଟେ ସେପ୍ଟେମ୍ବର ମାସରେ ଘରୋଇ ଚ୍ୟାନେଲର ସୋ ‘ବିଗ୍ ବସ୍’ରେ ନଜର ଆସନ୍ତି ସଲମାନ୍ ଖାନ୍ । ଗତ କିଛି ସିଜନ ହେଲା ‘ବିଗ୍ ବସ୍’ର ହୋଷ୍ଟ ଥିବା ସଲମାନ୍ ଏଥର ହୋଷ୍ଟ ଭୂମିକାରେ ନଜର ଆସିବେ କି ନାହିଁ ତାହା ଏବେ ବି ସସପେନ୍ସରେ ରହିଛି । କେବଳ ଟିଭି ସିରିଏଲ ଓ ଫିଲ୍ମ ନୁହେଁ ସଲମାନଙ୍କ ବ୍ରାଣ୍ଡ ଏଣ୍ଡରସମେଂଟକୁ ମଧ୍ୟ ଏହା ପ୍ରଭାବିତ କରିବ ।