#ଗାଁ ଗୌରବ : କଅଁଳ ବୟସରେ କରିସ୍ମା ଦେଖାଉଛନ୍ତି ଓଡ଼ିଆ ପୁଅ ଭେଙ୍କଟ, ୬ ବର୍ଷର କୁନି ପିଲା ୬ ମାସରେ ତିଆରି କଲେଣି ୧୫୦ ମୋବାଇଲ ଆପ୍ ।

897

କନକ ବ୍ୟୁରୋ : ସେପ୍ଟେମ୍ବର ୭ ତାରିଖ । ମଧ୍ୟରାତ୍ରିରେ ଟିଭି ସାମ୍ନାରେ ଜଣେ କୁନି ଶିଶୁ ବାପାଙ୍କ ନିକଟରେ ଅଳି କରି ଚାଲିଥିଲା । ଆଉ କହୁଥିଲା ବାପା ତମେ ଶୁଅନାହିଁ, ମୋ ସାଙ୍ଗରେ ବସି ଚନ୍ଦ୍ରଯାନ-୨ ମିଶନ ଦେଖ । କାରଣ ଏହି କୁନି ପିଲାଟିର ଲକ୍ଷ୍ୟ ଥିଲା ଭବିଷ୍ୟତରେ ବୈଜ୍ଞାନିକ ହେବ । ତେବେ ଚନ୍ଦ୍ରଯାନ-୨ ମିଶନର କିଛି ଦିନ ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବଲାଙ୍ଗୀରର ବିସ୍ମୟ ବାଳକ ଭେଙ୍କଟ ରମଣ ।

ବୟସ ମାତ୍ର ୬, କିନ୍ତୁ କାମ ବଡ ଲୋକଙ୍କୁ ବିସ୍ମିତ କଲାଭଳି । କଅଁଳ ବୟସରେ କରିସ୍ମା କରୁଛନ୍ତି ବଲାଙ୍ଗୀରର ବିସ୍ମୟ ବାଳକ ଭେଙ୍କଟ ରମଣ ପଟ୍ଟନାୟକ । ଯେଉଁ ବୟସରେ ପିଲାମାନେ ମୋବାଇଲ ଗେମ ଖେଳିବାରେ ବ୍ୟସ୍ତ ରହୁଛନ୍ତି, ସେହି ବୟସରେ ନିଜ ବୟସର ପିଲାଙ୍କ ପାଇଁ ମୋବାଇଲ ଗେମ୍ ଆପ୍ ତିଆରି କରୁଛନ୍ତି ଭେଙ୍କଟ । କୂଳଦୀପ ଓ ପ୍ରମିଳାଙ୍କ ଏକମାତ୍ର ପୁଅ ଭେଙ୍କଟ ଧୂଳିଖେଳର ବୟସରେ ହାତରେ ଧରିଛନ୍ତି କମ୍ପ୍ୟୁଟର ମାଉସ ଆଉ ନିଜ ବୁଦ୍ଧି ଖଟାଇ ତିଆରି କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଆପ୍ । ମାତ୍ର ୬ ମାସ ମଧ୍ୟରେ ୧୫୦ରୁ ଅଧିକ ମୋବାଇଲ ଆପ୍ ତିଆରି କରିଛନ୍ତି ଭେଙ୍କଟ । କେବଳ ମୋବାଇଲ ଆପ୍ ନୁହେଁ ବରଂ ଆନିମେସନ ପ୍ରୋଜେକ୍ଟ ଓ ରୋବୋଟିକ୍ସ ଗେମ୍ ତିଆରି କରି ଏବେ ଚର୍ଚ୍ଚାରେ ଭେଙ୍କଟ ।

ସବୁଠୁ ବଡ କଥା ହେଲା ଭେଙ୍କଟ ନିଜ ବୟସର ପିଲାଙ୍କ ପାଇଁ ଏଭଳି ଏକ ଆପ୍ ତିଆରି କରିଛନ୍ତି ଯାହାକୁ ବେଶ ପସନ୍ଦ କରାଯାଉଛି । ଭେଙ୍କଟଙ୍କ ‘ଲେଟ୍ସ ରିୱାର୍ଡ କିଡ୍ସ’ ଆପକୁ କୁନି କୁନି ପିଲାମାନେ ବେଶ ପସନ୍ଦ କରୁଛନ୍ତି । କାରଣ ଏହି ଆପ ମାଧ୍ୟମରେ କୁନି କୁନି ପିଲାମାନେ ନିଜର ଭଲ ଓ ଖରାପ ଅଭ୍ୟାସକୁ ଜାଣିପାରିବେ । ଏହି ଆପକୁ ଭେଙ୍କଟ ଏଭଳି ଭାବରେ ଡିଜାଇନ କରିଛନ୍ତି ଯେ, କୁନି କୁନି ପିଲାମାନେ ନିଜର ବିଭିନ୍ନ ଗୁଣ ବିଷୟରେ ଆପରେ ଉଲ୍ଲେଖ କରିବା ଦ୍ୱାରା ସେମାନଙ୍କୁ ଷ୍ଟାର ବା ପୁରସ୍କାର ମିଳିଥାଏ । ଏହାଛଡା ଏହି ଆପରେ ପିଲା ଖେଳିବା ସହ ନିଜର ଖରାପ ଗୁଣକୁ ମଧ୍ୟ ଦୂରେଇ ଦେବେ ବୋଲି କହିଛନ୍ତି ଭେଙ୍କଟ ।

ବାପା ଜଣେ ବ୍ୟାଙ୍କ ଅଧିକାରୀ ହୋଇଥିବା ବେଳେ ଅତି ଛୋଟ ବେଳୁ ବାପାଙ୍କ କମ୍ପ୍ୟୁଟରରେ ବିଭିନ୍ନ ପ୍ରକାର ଭିଡିଓ ଦେଖିବା ଆରମ୍ଭ କରିଥିଲେ ବିସ୍ମୟ ଭେଙ୍କଟ । ଆଉ ଧୀରେ ଧୀରେ କମ୍ପୁଟରରେ ବିଭିନ୍ନ ଆପ୍ ବାବଦରେ ଜାଣିବାକୁ ପାଇଥିଲେ ଭେଙ୍କଟ । ଦିନ ବିତିବା ସହ ଟେକ୍ନୋଲୋଜି ଦିଗରେ ଭେଙ୍କଟରଙ୍କର ଆଗ୍ରହ ବଢିଥିଲା । ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ ବସି ଭେଙ୍କଟ ପ୍ରୋଗାମିଙ୍କ କରୁଥିବା ଦେଖିବା ପରେ ଏ ଦିଗରେ ତାଙ୍କୁ ଆଗେଇ ନେବା ପାଇଁ ସାଥ୍ ଦେଇଥିଲେ ବାପା ଓ ମା’ ।

ଭେଙ୍କଟ ଏବେ ସ୍କୁଲ ଯିବା ବଦଳରେ ୱାଇଟ ହାର୍ଡ ଜୁନିୟର ଇନଷ୍ଟିଚ୍ୟୁଟ୍ ଅଧୀନରେ ଅନଲାଇନରେ ପାଠ ପଢୁଛନ୍ତି । ଖୁବଶୀଘ୍ର ସେ ପ୍ରସ୍ତୁତ କରିଥିବା ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ଦେଖିବାକୁ ମିଳିବ । ଗୁଗୁଲରେ ଭେଙ୍କଟଙ୍କ ଆପ୍ ଆସିବା ପରେ ବିସ୍ମୟ ବାଳଙ୍କ ପାଇଁ ବଲାଙ୍ଗୀରକୁ ସାରା ବିଶ୍ୱ ଚିହ୍ନିବ ।