ବଢ଼ିପାଣି ମୁହଁରେ ବଲାଙ୍ଗୀର ! କେଉଁଠି ଘର ତ’ କେଉଁଠି କାର ଉପରେ ପାଣି, ଭରସା ପାଲଟିଛି କଦଳୀ ଗଛ ଡ଼ଙ୍ଗା ।

626

କନକ ବ୍ୟୁରୋ: ବନ୍ୟାରେ ମୁହଁରେ ବଲାଙ୍ଗୀର । ଜୁଆଡେ ଦେଖିବ ଖାଲି ପାଣି ହି ପାଣି, ବୁଡ଼ି ଯାଇଛି ଘର, ରାସ୍ତା ଉପରେ ଭାସୁଛି କାର । ସହର ଭିତର ଦେଇ ଯାଇଥିବା ଲକ୍ଷ୍ମୀଜୋର ଉଜୁଳିବାରୁ ଜଳବନ୍ଦୀ ପାଲଟି ଯାଇଛନ୍ତି ସହରବାସୀ । ବଲାଙ୍ଗୀରର ଏଭଳି କୌଣସି ଗଳି କିମ୍ବା ସାହି ନାହିଁ, ଯାହା ବନ୍ୟା ଦ୍ୱାରା ପ୍ରଭାବିତ ହୋଇନାହିଁ । ବର୍ତମାନ ଘରଛାଡ଼ି ଲୋକ ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆଶ୍ରା ନେଇଛନ୍ତି ।

ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଯୋଗାଯୋଗ ପ୍ରଭାବିତ ହୋଇଥିବା ବେଳେ ବିଜୁଳି ସେବା ବନ୍ଦ ରହିଛି । ଆଉ ଏସବୁ ଭିତରେ ଜିଲ୍ଲାପାଳ କହିଛନ୍ତି-ପାଣି କମିଲେ ସ୍ୱାଭାବିକ୍ ସ୍ଥିତିକୁ ଫେରି ଆସିବ ବଲାଙ୍ଗୀର ସହର । ସହର ଭିତରେ ଜଳ ପ୍ରଳୟର ଏଭଳି ଭୟଙ୍କର ରୂପ ହୁଏତ ବଲାଙ୍ଗୀର କେବେ, ପୂର୍ବରୁ ଦେଖି ନଥିଲା । ସହର ମଝିରେ ଉବୁଟୁବ ହେଉଥିବା ଘର, ଭାସମାନ ଅବସ୍ଥାରେ ଥିବା କାର ଏବଂ ନଦୀର ଭ୍ରମ ସୃଷ୍ଟି କରୁଥିବା ରାସ୍ତା, ବଲାଙ୍ଗୀର ସହରରେ ବନ୍ୟାର ସ୍ଥିତି ବୟାନ କରୁଛି । ସହରର ଏମିତି କୌଣସି ଗଳି କିମ୍ବା ସାହି ନାହିଁ, ଯାହା ବନ୍ୟାରେ ପ୍ରଭାବିତ ହୋଇନାହିଁ । ଆଉ ସହର ମଝିରେ ଯାଇଥିବା ଲକ୍ଷ୍ମୀ ଜୋର, ସହର ପାଇଁ ଏକ ବଡ଼ଧରଣର ବିପଦ ହୋଇ ସାମ୍ନାକୁ ଆସିଛି ।

ରାଜପଥର ଯେଉଁ ଅବସ୍ଥା, ରେଳପଥର ସେହି ସମାନ ଅବସ୍ଥା । ରେଳଧାରଣା ଉପରେ ଟ୍ରେନ୍ ନୁହେଁ ଚାଲିଛି ପାଣି । ଆଉ ଟ୍ରାକରେ ପାଣି ଚାଲିବା ଯୋଗୁଁ ଅଚଳ ହୋଇଯାଇଛି ଟ୍ରେନ୍ । ବଲାଙ୍ଗୀର ସହରର ଏହି ବନ୍ୟା ଯୋଗୁଁ ଟିଟିଲାଗଡ଼-ସମ୍ବଲପୁର ମଧ୍ୟରେ ରେଳଚଳାଳକୁ ଠପ୍ କରିଦେଇଛି । ସହରର ତଳିଆ ଅଂଚଳରେ ଅବସ୍ଥା ଆହୁରି ସଂଗୀନ୍ । ସ୍ଥିତି ଏମିତି ହୋଇଛି ଯେ, ଲୋକଙ୍କୁ ଦଉଡି ଲଗାଇ ଉଦ୍ଧାର କରାଯାଉଛି । ଆଉ ଆଦର୍ଶପଡ଼ା ଭିତରେ ତ’ ଅଂଟାଏ ଯାଏଁ ପାଣି ଚାଲିଛି । ଯେଉଁଥି ପାଇଁ ଲୋକ ଆସବାବପତ୍ର ଧରି ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ବଲାଙ୍ଗୀରର ଏହି ବନ୍ୟା ଯୋଗୁଁ ସାଗରପଡ଼ା, ରୁଗୁଡ଼ିପଡ଼ା, ରାଧାରାଣୀପଡ଼ା, ମାଲପଡ଼ା, ବ୍ରାହ୍ମଣପଡ଼ା, ବରପାଲିପଡ଼ା, ଠିକାଦାରପଡ଼ା, କଲେଜଛକ, କଂସାରୀ ପଡ଼ା, ରାମେଶ୍ୱରପଡ଼ା, ମାଧିଆପାଲି ବିଶେଷ ଭାବରେ ପ୍ରଭାବିତ ହୋଇଛି । ସେହିପରି ସହର ଉପକଣ୍ଠରେ ଥିବା ସାଲେପାଲି ଓ ମନୋହରପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ବଡ଼ କଥା ହେଉଛି ବଲାଙ୍ଗୀରରେ ବର୍ଷା ଛାଡ଼ିବାର ନାଁ ନେଉନି । ଆଉ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ବିଜୁଳି ସେବା ବ୍ୟାହତ ହୋଇଛି । କୁହାଯାଉଛି-୨୦୦୩-୦୪ ବଲାଙ୍ଗୀର ସହରରେ ଯେଉଁ ଭଳି ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା, ତାଠୁ ଟପି ଯାଇଛି ୨୦୧୯ର ବନ୍ୟା ।