କନକ ବ୍ୟୁରୋ: ବନ୍ଦଘରୁ ମିଳିଲା ବଡି ବିଲଡର ରଶ୍ମୀରଂଜନ ବିଶ୍ୱାଳଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟାକୁ ନେଇ ବଢୁଛି ସନ୍ଦେହ । ହଟାକଟା ଯୁବକଙ୍କ ଜୀବନ କେମିତି ଚାଲିଗଲା ତାହାକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି । ସବୁଠାରୁ ବଡ କଥା ହେଲା, ଭୁବନେଶ୍ୱର ବାଲିପାଟଣା ଥାନା ଅଧୀନ ଭାକରସାହି ପଂଚାୟତ ବିଶ୍ୱାଳସାହିର ଏହି ଯୁବକ ମୃତ୍ୟୁ ପୂର୍ବରୁ ଏକ ଭିଡିଓକୁ ଭାଇରାଲ କରିଥିଲେ । ବାପା, ଭାଇ ଓ ଜଣେ ଯୁବତୀ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲେ ବୋଲି ଭିଡିଓରେ କହିଥିଲେ ।

Advertisment

ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଭିଡିଓ ଭାଇରାଲର କିଛି ଘଂଟା ପରେ ରଶ୍ମୀରଂଜନଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ଥିବାବେଳେ ପୁଲିସକୁ ଚକମା ଦେଇ ପରିବାର ଲୋକେ କିଛି ଲୋକଙ୍କ ସାହାଯ୍ୟରେ ମୃତଦେହକୁ ପୋଡିଦେଇଛନ୍ତି । ଅର୍ଥାତ ପ୍ରମାଣ ନଷ୍ଟ କରିଦେଇଛନ୍ତି । ଯାହା ଏହି ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି । କାହିଁକିନା ରଶ୍ମୀଙ୍କ ଶେଷ ଭିଡିଓରେ ପରିବାର ଓ ଜଣେ ଯୁବତୀ ହିଁ ତାଙ୍କ ମୃତ୍ୟୁର କାରଣ ବୋଲି କହିଥିଲେ ।

ମୃତ ରଶ୍ମୀଙ୍କ ଘରେ ପୁଲିସ ପଂହଚି ଘଟଣାର ଛାନଭିନ ଆରମ୍ଭ କରିଥିବାବେଳେ ବାପା ଓ ଭାଇ ଫେରାର ହୋଇଯାଇଛନ୍ତି । ଆବଶ୍ୟକ ପଡିଲେ ମୃତଦେହକୁ ପୋଡାଯାଇଥିବା ସ୍ଥାନର ଯାଂଚ ଓ ପୋଡିବା ପାଇଁ ସହାୟତା କରିଥିବା ଲୋକଙ୍କୁ ଖୁବଶୀଘ୍ର ପୁଲିସ ଥାନାକୁ ଟାଣିବାକୁ ଯୋଜନା କରୁଛି । ଅନ୍ୟପଟେ ରହସ୍ୟମୟୀ ଯୁବତୀ ଜଣେ ବ୍ୟାଙ୍କ କର୍ମଚାରୀ ବୋଲି ଜଣାପଡିବା ପରେ ଖୁବଶୀଘ୍ର ତାଙ୍କୁ ବି ପଚରାଉଚରା କରିପାରେ ପୁଲିସ ।

-କେମିତି ହେଲା ବଡି ବିଲଡରଙ୍କ ମୃତ୍ୟୁ?
- ପ୍ରେମ ନା ମାନସିକ ଚାପ?
-ବାପା ଓ ଭାଇଙ୍କ ନାଁ କାହିଁକି ନେଇଥିଲେ ରଶ୍ମୀରଂଜନ?
-ମୃତ୍ୟୁ ପରେ କିଏ ଓ କାହିଁକି ପୋଡିଲା ମୃତଦେହ?
-ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ହୋଇଥିଲା କି ଯୋଜନାବଦ୍ଧ ଷଡଯନ୍ତ୍ର?
ଏଭଳି କିଛି ଅସମାହିତ ପ୍ରଶ୍ନର ଉତର ଖୋଜୁଛି କମିଶନରେଟ ପୁଲିସ ।