ଜଙ୍ଗଲରୁ ଫେରିଲା ପରେ ଖୁସି ଅଛି ବାରହା ‘ଢୁର’ । ବନ ବିଭାଗ କହିଲା, ସୁସ୍ଥ ହେଲେ ଦୂର ଜଙ୍ଗଲରେ ଛଡା ଯିବ ବାରହା ।

245

କନକ ବ୍ୟୁରୋ: ଜଙ୍ଗଲୀ ବାରହା ‘ଢୁର’ ଏବେ ଘରକୁ ଫେରିଛି । ଜଙ୍ଗଲରୁ ଆସିବା ପରଠୁ ‘ଢୁର’ ଛୋଟେଇ ଛୋଟୋଇ ଚାଲୁଛି । ତେଣୁ ଜଙ୍ଗଲରେ ସେ କେଉଁ ପଥରରେ ବାଡେଇ ହୋଇଥିବ କିମ୍ବା ଶିକାରିଙ୍କ ଆକ୍ରମଣରେ ଆହତ ହୋଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ୯ ଦିନ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଘୁରି ବୁଲିବା ପରେ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ ଘରକୁ ଫେରି ଆସିଛି ଢୁର । ଏବେ ସେ କେତେବେଳ ଗାଈ ସହ ଖେଳୁଛି, ପୁଣି କେତେ ବେଳେ ଘର ଅଗଣାରେ ଥିବା ଖାଲ ପାଣିର କାଦୁଅରେ ‘ଢୁର’ ଗଡାତଡା ବି ହେଉଛି ।

ଜଙ୍ଗଲୀ ଜନ୍ତୁ, ମଣିଷର ଭାଷା ବୁଝି ପାରୁ ନାହିଁ ସିନା, ହେଲେ ଭାବ ଠିକ୍ ବୁଝି ପାରୁଛି । ଘରକୁ ଫେରିବା ପରେ ସେ ଖୁସିରେ ଅଛି । ପରିବାର ଲୋକଙ୍କ ସହ ଚା, ବିସ୍କୁଟ, ଭାତ ଓ ଆଖୁ ଖାଇଛି । ମଣିଷ ସ୍ନେହରେ ‘ଢୁର’ ଏମିତି ବାନ୍ଧି ହୋଇପଡିଛି ଯେ ବନବିଭାଗ ତାକୁ ଜଙ୍ଗଲରେ ଛାଡି ଆସିବା ପରେ ପୁଣି ଘରକୁ ଫେରି ଆସିଛି । ଅନ୍ୟପଟେ ‘ଢୁର’କୁ ମୃତ୍ୟୁ ଯାଏଁ ପାଖରେ ରଖିବା ପାଇଁ ଅନୁମତି ଦେବାକୁ ଗୁହାରି କରିଛନ୍ତି କୁନ୍ତଳାଙ୍କ ପରିବାର ।

ସେପଟେ ତେଲକୋଇ ବନବିଭାଗ ପୁରୁଷୋତମପୁର ଗାଁକୁ ଆସି ‘ଢୁର’ର ଚିକିତ୍ସା କରିଛନ୍ତି । ବାରହା ଏବେ ଅସୁସ୍ଥ ଥିବାରୁ କିଛି ଦିନ କୁନ୍ତଳାଙ୍କ ଘରେ ରହିବ ବୋଲି କହିଛନ୍ତି ବନ କର୍ମଚାରୀ । ବନଅଧିକାରୀ କହିଛନ୍ତି, ମଣିଷ ସଂସ୍ପର୍ଶରେ ଆସି ବାରହା ଜଙ୍ଗଲି ପ୍ରବୃତ୍ତି ଭୁଲି ଯାଇଛି । ତେଣୁ ଆଗକୁ ଘର ପାଖ ଜଙ୍ଗଲରେ ଏକ ସେଡ ନିର୍ମାଣ କରି ରଖାଯିବ ଓ ଧିରେ ଧିରେ ମଣିଷ ସହ ତାର ସଂପର୍କ ତୁଟାଇବାକୁ ଉଦ୍ୟମ କରାଯିବ । ବାରହାର ବ୍ୟବହାରରେ ପରିବର୍ତନ ଆସିଲେ, ତାକୁ ଦୂର ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି ବନ ଅଧିକାରୀ ।