କଲ୍ୟାଣ ମଣ୍ଡପ ସିଲ୍ ପରେ, ହଜିଲା ବାପାମାନଙ୍କ ନିଦ: ଦୁଇ ଦିନରେ ୧୦ ମଣ୍ଡପରେ ତାଲା; କେଉଁଠି କରିବେ ପୁଅଝିଅଙ୍କ ବାହାଘର ଚିନ୍ତାରେ ଲୋକଙ୍କର ବଢିଗଲାଣି ବ୍ଲଡପ୍ରେସର

ବାପାମାନେ ହାତରେ ଖଣ୍ଡିଏ କାର୍ଡ ଧରି ବିଏମସି ବାବୁମାନଙ୍କୁ ଭେଟୁଛନ୍ତି; କାର୍ଡରେ ଅଧିକାରୀଙ୍କ ନାମ ଲେଖି ବାହାଘରକୁ କରୁଛନ୍ତି ନିମନ୍ତ୍ରଣ

257

କନକ ବ୍ୟୁରୋ: ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପକୁ ଗୋଟିଏ ପରେ ଗୋଟିଏ ସିଲ୍ କରାଯାଉଛି। ଦୁଇ ଦିନରେ ୧୦ଟି କଲ୍ୟାଣ ମଣ୍ଡପ ସିଲ୍ ହେଲାଣି। ବିଏମସି, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଟିମ୍ ରାଜଧାନୀ ସାରା ବୁଲିବୁଲି କଲ୍ୟାଣ ମଣ୍ଡପ ସିଲ୍ କରୁଛି। ହେଲେ ଯେଉଁ ବାପାମାନେ ପୁଅ/ଝିଅର ବାହାଘର ପାଇଁ କଲ୍ୟାଣମଣ୍ଡପ ବୁକିଂ କରିଥିଲେ ସେମାନଙ୍କ ନିଦ ହଜିଗଲାଣି। ଯେତେ ଅଧିକ କଲ୍ୟାଣ ମଣ୍ଡପ ସିଲ୍ ହେଉଛି ସେତେ ଅଧିକ ବାପାଙ୍କର ନିଦ ହଜି ଯାଉଛି। କେଉଁଠି ପୁଅ/ଝିଅ ବାହାଘର କରିବେ, କେମିତି କରିବେ ସେ ଚିନ୍ତା ଏବେ ବାପାମାନଙ୍କର ରକ୍ତଚାପ ବଢ଼ାଇ ଦେଲାଣି। ବିଏମ୍ସି କର୍ତ୍ତୃପକ୍ଷ ସୋମବାର ୮ଟି କଲ୍ୟାଣ ମଣ୍ଡପ ସିଲ୍ କରିଥିବା ବେଳେ ଗତକାଲି ଆଉ ଦୁଇଟି କଲ୍ୟାଣ ମଣ୍ଡପ ସିଲ୍ କରିଛନ୍ତି। ଆଜି ଆଉ ୪ଟି କଲ୍ୟାଣ ମଣ୍ଡପ ସିଲ୍ ହେବ।

ହେଲେ ବାହାଘର ପାଇଁ କାର୍ଡ ଛାପି ବାଣ୍ଟୁଥିବା ଲୋକ ଏବେ କ’ଣ କରିବେ ଜାଣିପାରୁନାହାନ୍ତି। ଯେଉଁମାନେ ବାହାଘର ପାଇଁ ମଣ୍ଡପ ବୁକିଂ କରିଛନ୍ତି ସେମାନେ ମଣ୍ଡପ ସିଲ୍ ହେଉଛି କି ନାହିଁ ଜାଣିବା ପାଇଁ ଦୁଇ ଦିନ ହେଲା ବୁକିଂ କରିଥିବା କଲ୍ୟାଣ ମଣ୍ଡପ ଆଗରେ ସକାଳୁ ସଂଜ ପର୍ଯ୍ୟନ୍ତ ଛିଡ଼ା ହେଉଛନ୍ତି। କେତେକ ବିଏମସି ଅଫିସକୁ ଆସି ବିଭିନ୍ନ ଅଧିକାରୀଙ୍କଠାରୁ ପଚାରି ବୁଝୁଛନ୍ତି ଆଜି କେଉଁ ମଣ୍ଡପ ସିଲ୍ ହେଲା, ଏ ମଣ୍ଡପ ସିଲ୍ ହେବ ନା ନାହିଁ। ଏମିତି ଭାବେ ଯେଉଁମାନେ ଏହି ବିବାହ ଋତୁରେ ବାହାଘର କରୁଛନ୍ତି ସେମାନେ ମଣ୍ଡପ ସାମ୍ନା ଓ ବିଏମସି ଅଫିସରେ ଚକ୍କର କାଟୁଛନ୍ତି। କେବଳ ଏତିକି ନୁହେଁ ବାପାମାନେ ହାତରେ ଖଣ୍ଡିଏ କାର୍ଡ ଧରି ବିଏମସି ବାବୁମାନଙ୍କୁ ଭେଟୁଛନ୍ତି। କାର୍ଡରେ ଅଧିକାରୀଙ୍କ ନାମ ଲେଖି ବାହାଘରକୁ ନିମନ୍ତ୍ରଣ କରୁଛନ୍ତି। ଆଉ କହୁଛନ୍ତି ଯେ, ପୁଅ/ଝିଅ ବାହାଘର ଅମୁକ ମଣ୍ଡପରେ ଅମୁକ ତାରିଖରେ ହେବ। ଆପଣ ନିଶ୍ଚିତ ଯିବେ। ଏମିତି କାକୁତି ମିନତି କରି ବାହାଘରକୁ ଯିବାକୁ ଅନୁରୋଧ କରି ଯାଉଛନ୍ତି ଯେ, ବିଏମସିର ଉଚ୍ଚପଦସ୍ଥ ଅଧିକାରୀ ସେ କଲ୍ୟାଣ ମଣ୍ଡପ ସିଲ୍ କରିବେ କି ନାହିଁ ଭାବିବାକୁ ଏକରକମ ବାଧ୍ୟ ହେଉଛନ୍ତି। ହେଲେ ବେଆଇନ କଲ୍ୟାଣ ମଣ୍ଡପକୁ ସିଲ୍ କରିବାକୁ ନିୟମ ହୋଇ ଥିବାରୁ ସ୍କ୍ବାଡ୍ ପଠାଇ ସିଲ୍ କରୁଛନ୍ତି।

ବିଏମସି ପାଖରେ ବିକଳ୍ପ

ବେଆଇନ କଲ୍ୟାଣ ମଣ୍ଡପ ସିଲ୍ କରିବା ନେଇ ବିଏମସି ଯେଉଁ ପଦକ୍ଷେପ ନେଉଛି ତାହାକୁ ଅନେକ ସ୍ବାଗତ କରୁଛନ୍ତି। ହେଲେ ଯେଉଁମାନେ ବାହାଘର/ବ୍ରତଘର ପାଇଁ ମଣ୍ଡପ ବୁକିଂ କରିଥିଲେ ସେମାନେ ଅସୁବିଧାରେ ପଡ଼ିଛନ୍ତି। ବିଏମସି ଯଦି ରାଜଧାନୀରେ ଥିବା ବିଭିନ୍ନ ଖୋଲା ପଡ଼ିଆକୁ ବ୍ୟବହାର ପାଇଁ ଅନୁମତି ଦେବ ତାହାହେଲେ ସମସ୍ୟାର କିଛିଟା ସମାଧାନ ହୋଇ ପାରନ୍ତା ବୋଲି କିଛି ଲୋକ କହିଛନ୍ତି। ରାଜଧାନୀରେ ପ୍ରାୟ ୫୦ରୁ ଅଧିକ ଦୁର୍ଗାପୂଜା ପଡ଼ିଆ ଏବଂ ବିଭିନ୍ନ କ୍ଲବର ପଡ଼ିଆ ଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରାଜଧାନୀରେ ୨୦ରୁ ଅଧିକ ପଡ଼ିଆ ଅଛି। ଏପରିକି ବିଡିଏ ଅଧୀନରେ ନିକୋ ପାର୍କ ଥିବା ବେଳେ ବିଏମସି ଅଧୀନରେ ୬ଟି କଲ୍ୟାଣ ମଣ୍ଡପ ଏବଂ ପ୍ରତି ୱାର୍ଡରେ ଗୋଷ୍ଠୀ କେନ୍ଦ୍ର ଅଛି। ଯେଉଁମାନେ ବିବାହ ପାଇଁ ମଣ୍ଡପ ବୁକିଂ କରିଛନ୍ତି ସେମାନଙ୍କୁ ଯଦି ବିଏମସି ପକ୍ଷରୁ ସୁଲଭ ମୂଲ୍ୟରେ ଏହି ପଡ଼ିଆ ବା ବିଏମସି କଲ୍ୟାଣ ମଣ୍ଡପ ଯୋଗାଇ ଦିଆଯାଆନ୍ତା ତେବେ ଲୋକଙ୍କର ବହୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କେତେକ ମତ ପ୍ରକାଶ କରିଛନ୍ତି। ବିଏମସି ବେଆଇନ କଲ୍ୟାଣ ମଣ୍ଡପ ସିଲ୍ କରିବାରେ କାହାର ଅଭିଯୋଗ ରହିବନି କି ଲୋକଙ୍କର ବିବାହ ଅଟକିବନି।