ରାଜଧାନୀରେ ଚିନ୍ତା ବଢାଉଛି କରୋନା : ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହେଲା ଡୋର ଟୁ ଡୋର କ୍ୟାମ୍ପେନ

ଅଙ୍ଗନୱାଡ଼ି ଦିଦି ଓ ସ୍ୱାସ୍ଥ୍ୟ ସାଥୀ ଘରକୁ ଘର ବୁଲି କରୁଛନ୍ତି ସଚେତନ

56

କନକ ବ୍ୟୁରୋ : ଚିନ୍ତା ବଢାଇଛି ରାଜଧାନୀରେ କରୋନା । ରାଜ୍ୟରେ ଚିହ୍ନଟ ହେଉଥିବା ମୋଟ ସଂକ୍ରମଣରୁ ଭୁବନେଶ୍ୱରରୁ ଅଧିକ ରହିଛନ୍ତି । ଭୁବନେଶ୍ୱରରେ ଏହାକୁ ନିୟନ୍ତ୍ରଣ କରିବାକୁ ବିଏମସି ପ୍ରୟାସ କରିଛି । ଡୋର ଟୁ ଡୋର ଅଭିଯାନ ଆରମ୍ଭ କରିଛି ବିଏମସି । ସହରର ପ୍ରତ୍ୟେକ ବସ୍ତିରେ ଚାଲିଛି କୋଭିଡ ପରୀକ୍ଷା । ଅଙ୍ଗନୱାଡ଼ି ଦିଦି ଓ ସ୍ୱାସ୍ଥ୍ୟ ସାଥୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

ସେପଟେ, ରାଜ୍ୟରେ ଯୁବ ବର୍ଗ(୧୮-୪୪)ଙ୍କ ପ୍ରଥମ ଡୋଜ୍ ଟିକାକରଣ ୭୦ ପ୍ରତିଶତରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ୧କୋଟି ୩୫ଲକ୍ଷ ୬୫ହଜାର ୮୯୬ଜଣ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ରାଜ୍ୟରେ ସମୁଦାୟ ୧.୯୩କୋଟି ଯୁବବର୍ଗଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ‌ରେ ଏ ପର୍ଯ୍ୟନ୍ତ ୩କୋଟି ୪୬ଲକ୍ଷ ୪୧ହଜାର ୪୯୧ ଡୋଜ୍ ଟିକା ଦିଆଗଲାଣି । ରାଜ୍ୟରେ ଆଜି ୧୮୫୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨ଲକ୍ଷ ୭୮ହଜାର ୯୪୪ ହିତାଧିକାରୀ ଟିକା ନେଇଥିଲେ ।

ଏଥିରେ ୧୮-୪୪ବର୍ଗରେ ୧ଲକ୍ଷ ୧୨ହଜାର ୮୮୩ଜଣ ପ୍ରଥମ, ୭୮,୯୬୧ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୫୦,୩୪୩ ପ୍ରଥମ ଓ ୩୬,୧୯୨ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି । ଏହାସହ ୨୧୪୫ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଥମ ଡୋଜ୍ ଟିକାକରଣ ଶତ ପ୍ରତିଶତ ହୋଇଥିବା ବେଳେ ଆଗଧାଡ଼ିର ଯୋଦ୍ଧା ପ୍ରଥମ ଡୋଜ୍ ୯୯ ପ୍ରତିଶତ ରହିଛି। ସେହିପରି ୪୫ବର୍ଷରୁ ଅଧିକ ୮୮ ପ୍ରତିଶତ ହିତାଧିକାରୀ ରାଜ୍ୟରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି ।