ଭୁବନେଶ୍ୱରରେ କାୟା ମେଲାଉଛି କରୋନା । ବିଏମସି କମିଶନର କହିଲେ, ସଂକ୍ରମଣ ରୋକିବାକୁ ସତର୍କ ରହିବାକୁ ପଡିବ, ଟେଷ୍ଟିଂ ଓ ଟ୍ରେସିଂ ଉପରେ ଦିଆଯିବ ଗୁରୁତ୍ୱ ।

123

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ପୁଣି କରୋନା କାୟା ମେଲାଉଥିବା ବେଳେ ତତ୍ପର ହୋଇ ଉଠିଛି ବିଏମସି । ପ୍ରେସମିଟ୍ କରି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଭୁବନେଶ୍ୱରରେ ବିଗତ ୫ରୁ ୭ ଦିନ ହେବ ସଂକ୍ରମଣ ବଢି ବଢି ଚାଲିଛି । ତେଣୁ ଏବେ ପୁଣିଥରେ କଟକଣାକୁ କଡାକଡି କରାଯିବ । ଖାସକରି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯିବ । ଟେଷ୍ଟିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦିଆଯିବା ସହ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଏହାଛଡା ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ଟେଷ୍ଟିଂକୁ ଜୋରଦାର କରାଯିବ । ଆରଟିପିସିଆର ଟେଷ୍ଟିଂ ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି କମିଶନର ।

ସେହିଭଳି ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ବିଜନେଓ ମ୍ୟାନେଜମେଣ୍ଟରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଉପରେ ନଜର ରଖାଯାଇଛି । ପଜିଟିଭ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଟେଷ୍ଟିଂ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ । ଏହାବାଦ୍ ମନ୍ଦିର ଗୁଡିକରେ କେବଳ ରୀତିନୀତି କରାଯିବା ସହ କୌଣସି ଉତ୍ସବ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।