ରାଜଧାନୀରେ ବୁଲା କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା : ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ବିଏମସି; ପ୍ରାଣୀ ଚିକିତ୍ସକଙ୍କୁ କାର୍ଯ୍ୟରୁ ଅବ୍ୟାହତି

164

କନକ ବ୍ୟୁରୋ : ବୁଲା କୁକୁର ବନ୍ଧ୍ୟାକରଣ ବେଳେ ଦାୟିତ୍ୱହୀନତା ଅଭିଯୋଗରେ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି । ଅବହେଳା ପ୍ରଦର୍ଶନ କରିଥିବା ପ୍ରାଣୀ ଚିକିତ୍ସକଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ନିଶ୍ଚେତକ ପ୍ରୟୋଗ ନକରି ପ୍ରବଳ ଗରମରେ ଅସ୍ତ୍ରୋପଚାର କରିବା ଓ ପରେ ଆବଶ୍ୟକ ଚିକିତ୍ସା ଯୋଗାଇ ନଦେବା, ଅଭିଯୋଗ ହେବା ପରେ ଭୁବନେଶ୍ୱର ମହାନଗର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସହିଦନଗର ସ୍ଥିତ ପ୍ରାଣୀ ଚିକିତ୍ସାଳୟଠାରେ ବିଏମସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଉଛି ।

ସେଥିପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଗୋଟିଏ କୁୁକର ପିଛା ୫୦୦ ଟଙ୍କା ହିସାବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବନ୍ଧ୍ୟାକରଣ ପାଇଁ ଯେଉଁ ପଦ୍ଧତି ରହିଛି, ତାକୁ ଅନୁସରଣ କରା ଯାଉନଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଡାକ୍ତର ବନ୍ଧ୍ୟାକରଣ ପୂର୍ବରୁ ନିଶ୍ଚେତକ ବ୍ୟବହାର କରୁନଥିଲେ । ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ବାରଣ୍ଡାରେ ବାନ୍ଧି ଅତି ନିଷ୍ଠୁର ଭାବେ ଅସ୍ତ୍ରୋପଚାର କରୁଥିଲେ । ଏପରିକି କ୍ଷତ ଶୁଖିବା ପାଇଁ ଆଂଟିବାୟୋଟିକ୍ ଦେଉନଥିଲେ କି ଯନ୍ତ୍ରଣା ଉପଶମ ପାଇଁ ପେନ୍ କିଲର ଦିଆଯାଉନଥିଲା । ଫଳରେ ଘା’ ଶୁଖୁନଥିଲା, ଅକାଳରେ ମୃତ୍ୟୁ ମୁଖରେ ପଡୁଥିଲେ କୁକୁର ।

ଏ ନେଇ କିଛି ପଶୁପ୍ରେମୀ ଓ ସାମାଜିକ କର୍ମୀ ପ୍ରତିକ୍ରିୟା ପ୍ରକାଶ କରି ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ମଧ୍ୟ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଉଦବେଗ ପ୍ରକାଶ କରିଥିଲେ । ଏ ଦିଗରେ ମୁଖ୍ୟମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବା ପାଇଁ ସେ ନିବେଦନ କରିଥିଲେ । ଏହାପରେ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅସ୍ତ୍ରୋପଚାର ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ତୁରନ୍ତ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ଏଥିସହ ସଂପୃକ୍ତ ସଂସ୍ଥା ‘ମେସର୍ସ ପିୱାଇକେଇ ସେଂଟିନେଲ୍’କୁ କାରଣ ଦର୍ଶାଅ ନୋଟିସ ଜାରି କରଯାଇଛି ।