ରାଜଧାନୀରେ ହତ୍ୟାକାଣ୍ଡ : ସୁନ୍ଦରପଦା ବୁଦ୍ଧ ମଣ୍ଡପ ନିକଟରେ ହଜ୍ ପୋଖରୀର ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ହତ୍ୟା

ନୂଆବର୍ଷ ଭୋଜି ପରେ ଗଣ୍ଡଗୋଳ ଯୋଗୁ କିଛି ଯୁବକ ହତ୍ୟା କରିଥିବା ସନ୍ଦେହ

180

କନକ ବ୍ୟୁରୋ : ନୂଆବର୍ଷରେ ରାଜଧାନୀରେ ହତ୍ୟାକାଣ୍ଡ । ସୁନ୍ଦରପଦା ବୁଦ୍ଧ ମଣ୍ଡପ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପକ ରାଉତରାୟ । ସେ ସୁନ୍ଦରପଦା ହଜ୍ ପୋଖରୀର ସୁରକ୍ଷା ଦାୟିତ୍ୱରେ ଥିଲେ । ଗତକାଲି ରାତିରେ କିଛି ଯୁବକ ପୋଖରୀ କୂଳରେ ଭୋଜି କରିଥିଲେ । ଏହା ପରେ କୌଣସି କାରଣକୁ ନେଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲେ । ଦୀପକ ସେମାନଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଯୁବକମାନେ ଉତ୍ୟକ୍ତ ହୋଇ ଦୀପକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ନୁଆସାହି ଅଞ୍ଚଳର କିଛି ଯୁବକ ରାତିରେ ନୂଆବର୍ଷ ଭୋଜି କରୁଥିଲେ । ସେହି ସମୟରେ କପିଳେଶ୍ୱର ଅଞ୍ଚଳର କିଛି ଯୁବକ ଆସି ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ କପିଳେଶ୍ଵର ଅଞ୍ଚର କିଛି ଯୁବକ ଅତର୍କିତ ଭାବେ ଆସି ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ । ସେମାନଙ୍କ ଆକ୍ରମଣରେ ଦୀପୁ ରାଉତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ଏୟାରଫିଲଡ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏଣେ ଗୁରୁବାର ରାତିରେ ରାଜଧାନୀରେ ଘଟିଥିଲା ଏକ ଚାଞ୍ଚଲ୍ୟକର ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଭଉଣୀ ଆଖି ଆଗରେ ଭାଇ ଖଣ୍ଡାରେ ହାଣି ହତ୍ୟା କରିଛି ଭିଣୋଇକୁ। ସାବତ ଭଉଣୀ ମଥାରୁ ସିନ୍ଦୁର ପୋଛିଦେଇଥିଲା ଭାଇ । ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସାବତ ଭାଇର ଖଣ୍ଡା ଚୋଟରେ ଗୁରୁତର ହୋଇଛି ଭଉଣୀ । ପ୍ରତିଶୋଧ ପାଇଁ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମଞ୍ଚେଶ୍ବର ଥାନା ଧିରିକୁଟି ବସ୍ତି ପାତ୍ରସାହିରେ । ମୃତକ ହେଲେ ନୟାଗଡ଼ ଅଞ୍ଚଳର ସୁଶାନ୍ତ ଘଡ଼େଇ । ପୁଲିସ ହତ୍ୟାକାରୀ ବାପୁନି ନାୟକକୁ ଗିରଫ କରିଥିବା ବେଳେ ତା’ର ୨ ସହଯୋଗୀ ଫେରାର୍ ହୋଇଯାଇଛନ୍ତି ।

ଏକ ଭୋଜିରୁ ସୁଶାନ୍ତ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ସ୍ତ୍ରୀ ବର୍ଷା କବାଟ ଖୋଲିବା ପରେ ସୁଶାନ୍ତ ଭିତରକୁ ପଶିଥିଲେ ଓ ବର୍ଷା କବାଟ ବନ୍ଦ କରିବାକୁ ଯାଉଥିଲେ। ଠିକ୍‌ ଏତିକିବେଳେ ହଠାତ୍ ୩ ଜଣ ଖଣ୍ଡାଧାରୀ ଯୁବକ ତାଙ୍କୁ ଠେଲି ଦେଇ ଘର ଭିତରକୁ ଧସେଇ ପଶିଥିଲେ। ସେମାନଙ୍କ ମଧ୍ୟରେ ଥିଲା ବାପୁନି। କେହି କିଛି ବୁଝିବା ପୂର୍ବରୁ ସେମାନେ ଖଣ୍ଡାରେ ସୁଶାନ୍ତଙ୍କୁ ନୃଶଂସ ଭାବେ ହାଣିବାରେ ଲାଗିଥିଲେ । ଖଣ୍ଡା ଚୋଟରେ ସୁଶାନ୍ତ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ଟଳି ପଡ଼ିଥିଲେ। ବିକଳରେ ବର୍ଷା ଦେଢ଼ ବର୍ଷର ଝିଅକୁ କାଖରୁ ତଳେ ରଖି ସ୍ବାମୀକୁ ବଞ୍ଚାଇବାକୁ ବାପୁନିକୁ ପ୍ରତିରୋଧ କରିଥିଲେ । ମାତ୍ର ସେ ବି ବାପୁନିର ଖଣ୍ଡା ଚୋଟରୁ ବର୍ତ୍ତିନଥିଲେ ।

ସୁଶାନ୍ତ ସଂଜ୍ଞାହୀନ ହୋଇଯିବା ପରେ ବାପୁନି ଓ ତା’ର ଦୁଇ ସହଯୋଗୀ ଘଟଣାସ୍ଥଳରୁ ପଳାଇଥିଲେ । ପାଟି ଶୁଣି ପାଖପଡ଼ୋଶୀ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । କିନ୍ତୁ ସେତେବେଳକୁ ସୁଶାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା । ବାପୁନି ଏହି ହତ୍ୟାକାଣ୍ଡ ଭିଆଇଥିବା ଜାଣି ବସ୍ତି ଲୋକେ ତାକୁ ଖୋଜିଥିଲେ । ସେମାନେ ବାପୁନିକୁ ତା’ ଘରୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀଙ୍କୁ ପାଇନଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଲୋକେ ବାପୁନିକୁ ପୁଲିସ ଜିମା ଦେଇଥିଲେ ।