ବିବାହ ଉତ୍ସବରେ ରକ୍ତଦାନ ଶିବିର ଆୟୋଜନ କଲେ ନବଦମ୍ପତି ! ଉପହାର ବଦଳରେ ରକ୍ତ ଦେଲେ ଅତିଥି

455

କନକ ବ୍ୟୁରୋ : ବିବାହ କେବଳ ଏକ ପରମ୍ପରା ନୁହେଁ, ଏକ ପବିତ୍ର ବନ୍ଧନ । ଦୁଇଟି ମନର ମିଳନ । ସାତ ଜନମର ସାଥୀ ହେବାପାଇଁ ବିବାହ ମଣ୍ଡପରେ ବରବଧୂ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି । ଆଜିକାଲି ଲୋକମାନେ ବେଶ୍ ଧୁମଧାମରେ ବିବାହ ଉତ୍ସବ ପାଳନ କରୁଛନ୍ତି । ଜାକଜମକରେ ଭୋଜିଭାତ କରି ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଆଉ କିଛି ଲୋକେ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ ପାଣି ଭିତରେ ବିବାହ କରୁଛି, କିଏ ପାହାଡ଼ ଉପରେ ତ ପୁଣି କିଏ ହେଲିକପଟରରେ ଆସି ବିବାହ କରୁଛି । ଏସବୁ ବ୍ୟତୀତ କିଛି ଲୋକ ଲୋକେ ବିବାହ ସମୟରେ ସଚତେନତା ବାର୍ତ୍ତା ଦେବାର ମଧ୍ୟ ଦେଖିବା ପାଇଁ ମିଳେ । ଏପରି ହଳେ ନବଦମ୍ପତି ହେଲେ କେନ୍ଦ୍ରାପଡ଼ାର ସୂର୍ଯ୍ୟମଣି ପରିଡ଼ା ଓ ଶିଳ୍ପା ବୋଷ୍ ।

ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଓସ୍ତପୁରରୁ ସୂର୍ଯ୍ୟମଣି ପରିଡ଼ା ବଡ଼ହାଟ ନିବାସୀ ତଥା ଦୀର୍ଘ ଦିନ ବାନ୍ଧବୀ ଶିଳ୍ପାଙ୍କୁ ଗତ ୧୮ ତାରିଖରେ ବିବାହ କରିଛନ୍ତି । ତେବେ ସେମାନେ ବିବାହକୁ ଜାକଜମକରେ ନକରି ବିବାହ ଭୋଜି ସହ ରକ୍ତଦାନ ଶିବିରର ଆୟୋଜନ ରଖିଥିଲେ । ବିବାହ ପାଇଁ କେହି ବ୍ୟସ୍ତ ନଥିଲେ । ଲୋକମାନେ କିପରି ଉପକୃତ ହୋଇପାରିବେ, ସେ ଲକ୍ଷ୍ୟ ନେଇ ଉଭୟେ ବିବାହରେ ନିଆରା ପ୍ରୟାସ କରିଥିଲେ । ପ୍ରଥମେ ବରବଧୂ ରକ୍ତଦାନ କରିଥିଲେ । ବିବାହରେ ଯୋଗଦେଇଥିବା ଅତିଥିଙ୍କ ସହ ପରିବାର ଲୋକଙ୍କ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଅନେକ ଲୋକ ରକ୍ତଦାନ ମଧ୍ୟ କରିଥିଲେ ।

ଏହାବ୍ୟତୀତ କିଛି ଅତିଥି ଶରୀର ଦାନ ଓ ଅଙ୍ଗ ଦାନ କରିଥିଲେ କିଛି । ଆଉ ଏଥିପାଇଁ କଟକ ବଡ଼ମେଡ଼ିକାଲର ଏକ ପ୍ରତିନିଧିଦଳ ପହଞ୍ଚି କାଗଜପତ୍ର ପ୍ରସ୍ତୁତ କରିଥିଲେ । ତେବେ କେନ୍ଦ୍ରାପଡ଼ାର ନବଦମ୍ପତିଙ୍କ ଏହି ନୂଆ ପ୍ରୟାସ ଯୋଗୁଁ ଅଂଚଳବାସୀ ଉଭୟଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।