କନକ ବ୍ୟୁରୋ : ନିଜେ ଦୃଷ୍ଟିହୀନ ହେଲେ ବି ଅନ୍ୟକୁ ଦେଖାଉଛନ୍ତି ବାଟ । ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟର ଗୋବିନ୍ଦ ନାଇଡୁ । ସ୍ଥାନୀୟ ଏକ କ୍ଲବରେ ମାଗଣାରେ ୫୦ରୁ ଅଧିକ ପିଲାଙ୍କୁ ଗୀଟାର ଓ କ୍ୟାସିଓ ବଜାଇବା ସହ ଗୀତ ଶିଖାଉଛନ୍ତି ଗୋବିନ୍ଦ ସାର । କୋରାପୁଟ ଜିଲ୍ଲା ଢ଼େପସାହିର ଏକ ଭଡା ଘରେ ନିଜ ପତ୍ନୀଙ୍କ ସହିତ ରହୁଛନ୍ତି ଦୃଷ୍ଟିହୀନ ବ୍ୟକ୍ତି ଗୋବିନ୍ଦ ନାଇଡୁ । ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଥିଲେ ମଧ୍ୟ ସଂଗୀତ ପାଇଁ ତାଙ୍କର ଅନେକ ରୁଚି ରହିଛି । ଛୋଟ ବେଳୁ ଗୀଟାର, କ୍ୟାସିଓ ବଜାଇ ଓଡ଼ିଆ ସଂଗୀତ ଠାରୁ ଆରମ୍ଭ କରି ବଲିଉଡ ଗୀତ ଗାଇବା ଆରମ୍ଭ କରିଥିଲେ । ନିଜେ ଦୃଷ୍ଟିହୀନ ହୋଇଥିଲେ ବି ୬୦ ପିଲା ଙ୍କୁ ମାଗଣାରେ ଶିକ୍ଷା ଦେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଗୋବିନ୍ଦ ।

Advertisment

ସ୍ଥାନୀୟ ଢ଼େପ ସାହିରେ ଥିବା ଏକ କ୍ଲବ ଘରେ ପିଲାଙ୍କୁ ଗୀଟାର, କ୍ୟାସିଓ ଶିଖାଇବା ସହିତ ଗୀତ ବି ଶିଖାଉଛନ୍ତି । ବିଶିଷ୍ଟ କଣ୍ଠଶୀଳ୍ପୀ ଅକ୍ଷୟ ମହାନ୍ତିଙ୍କ ଗୀତ ଠାରୁ ଆରମ୍ଭ କରି ବଲିଉଡ଼ ନାମିଦାମୀ କଳାକାରଙ୍କ ଗୀତକୁ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ସେ ଦୃଷ୍ଟିହୀନ ବିଦ୍ୟାଳୟରେ ୨୦୦୩ ମସିହାରେ ସଙ୍ଗୀତ ଶିକ୍ଷା ଶେଷ କରିଥିଲେ । ପରେ ୨୦୧୫ ରେ ନିଜେ ନିଜକୁ ପ୍ରତିଷ୍ଠା କରିବା ପାଇଁ ମେଲୋଡି ଗୀତ ଗାଇବା ଆରମ୍ଭ କରିଥିଲେ । ପରେ ପିଲାମାନଙ୍କୁ ମାଗଣାରେ ସଙ୍ଗୀତ ଶିଖାଇବା ଆରମ୍ଭ କରିଥିଲେ ଗୋବିନ୍ଦ । ଏସବୁ କରିବା ଫଳରେ ତାଙ୍କୁ ଆତ୍ମ ସେନ୍ତାଷ ମିଳୁଥିବା କଥା କହିଛନ୍ତି ଗୋବିନ୍ଦ ।