ମନେରହିବ ଏ ପ୍ରେମ କାହାଣୀ… ଆଖି ନାହିଁ ହେଲେ ହୃଦୟର ଆଖିରେ ଦୁହେଁ ଦୁହିଁଙ୍କୁ ଦେଖିଲେ, ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନମର ସାଥି ପାଲଟିଲେ…

486

କନକ ବ୍ୟୁରୋ: ପ୍ରେମ ସୁନ୍ଦରତା ଦେଖି ହୁଏ କି ? ପ୍ରେମ ଧନୀ-ଗରିବ ଦେଖି କରାଯାଏ କି ? ବିନା ଦେଖା ଚାହାଁରେ କଣ ପ୍ରେମ ହୋଇପାରେ? ପ୍ରେମ ଅନ୍ଧ ବୋଲି କେହି କେହି କହୁଥିବା ବେଳେ ପ୍ରେମରେ ସୁନ୍ଦରତା ମାଇନା ରଖେ ବୋଲି କେହି କେହି ଯୁକ୍ତି ବାଢନ୍ତି । ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ପ୍ରେମ କାହାଣୀ କହିବୁ ଯେଉଁଥିରେ ପ୍ରେମୀଯୁଗଳ କେହି କାହାକୁ ଦେଖି ନାହାନ୍ତି । ଆଖି ଥାଇ ଦେଖି ନାହାନ୍ତି ନୁହେଁ ବରଂ ଦୃଷ୍ଟିଶକ୍ତି ନଥାଇ ବି ସେମାନେ ଉଭୟ ଉଭୟଙ୍କୁ ଦିଲ ଦେଇଛନ୍ତି । ଆଖିରେ ଆଖି ମିଶିନି ସତ ହେଲେ ହୃଦୟର ଆଖି ଖୋଲି ସେମାନେ ସେମାନଙ୍କୁ ପାଖରୁ ଦେଖିଛନ୍ତି, ନିଜର କରିଛନ୍ତି ।

ସାଥି ହୋଇ ଚାଲିବା । ଦୁନିଆଟା ଅନ୍ଧାର ଦିଶୁ ପଛେ ଆମେ ଆଗକୁ ଆଗକୁ ବଢିବା । ଏମିତି କିଛି ଆଶା ନେଇ ଗୋଟିଏ ଡାଳରେ ବସା ବାନ୍ଧିଛନ୍ତି କଟକ ଚୌଦ୍ୱାରର ଗୋପାଳ ଚନ୍ଦ୍ର ସ୍ୱାଇଁ ଓ ପଙ୍କଜିନୀ । ଜନ୍ମରୁ ଦୁନିଆର ଆଲୋକ ଦେଖି ନାହାଁନ୍ତି ଏମାନେ, ହେଲେ ରଙ୍ଗୀନ ସ୍ୱପ୍ନ ନେଇ ସଂସାର ଗଢୁଛନ୍ତି ।

ବେଦୀରେ ମନ୍ତ୍ର ପଢା ଚାଲିଛି । ଆଉ ହୋମ ନିଆଁକୁ ସାକ୍ଷା ରଖି ପରସ୍ପରର ହାତ ଧରି ସାତ ଜନମର ସାଥି ପାଇଁ ଶପଥ ନେଉଛନ୍ତି ଦୁଇଜଣ ଦିବ୍ୟାଙ୍ଗ । ଦୁନିଆ ଏମାନଙ୍କ ପାଇଁ ଅନ୍ଧକାରମୟ ହୋଇଥିଲେ ବି ମନରେ ଭରି ରହିଛି ରଙ୍ଗୀନ ସ୍ୱପ୍ନ । ଏ ଜନ୍ମରୁ କେବେବି ଆଲୋକ ଦେଖି ନଥିବା ଗୋପାଳ ଓ ପଙ୍କଜିନୀଙ୍କ ନିଆରା ପ୍ରେମକାହାଣୀ ବିବାହରେ ରୂପାନ୍ତରିତ ହେବା ପରେ ଏବେ ସେମାନଙ୍କୁ ନେଇ ସବୁଠି ଚର୍ଚ୍ଚା ।

ତେବେ କେମିତି ହୋଇଥିଲା ଏମାନଙ୍କ ପ୍ରେମ । ଗୋପାଳଙ୍କ କହିବା ଅନୁସାରେ ପିଲାଟିଦିନୁ ତବଲା ବଜାଇବାର ସଉକ ଥିବାରୁ ସେ କଟକ କଳା ବିକା କେନ୍ଦ୍ରରେ ତବଲା ବିଷାରଦ ପାଇଁ ନାମ ଲେଖାନ୍ତି । ଗଂଜାମର ବ୍ରହ୍ମପୁର ଜଗନ୍ନାଥ ଦିବ୍ୟାଙ୍ଗ ଭଜନ ସମାରୋହ ପାର୍ଟିରେ କାମ କରିବା ସମୟରେ ଗୋପାଳଙ୍କ ତବଲା ବାଦନ ଦେଖି ଆକୃଷ୍ଟ ହୋଇଥିଲେ ପଙ୍କଜିନୀ । ଆଉ ତାପରେ ଏହି ଆକର୍ଷଣ ଭଲପାଇବାରେ ବଦଳି ଯାଇଥିଲା । ସଙ୍ଗୀତ ଦୁନିଆରେ ସାଙ୍ଗ ହୋଇ କାମ କରୁଥିବା ଗୋପାଳ ତବଲା ବଜାଉଥିବା ବେଳେ ପଙ୍କଜିନୀ ଦୀତ ଗାଆନ୍ତି । ତେବେ ସଙ୍ଗୀତ ସାତ ସୁରରେ ବନ୍ଧା ହୋଇଥିବା ଏହି ପ୍ରେମର ପକ୍ଷୀ ନିଜ ସମ୍ପର୍କକୁ ସଙ୍ଗୀତରୁ ସିନ୍ଦୂରକୁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ପରିବାର ଲୋକଙ୍କ ସହମତି ପରେ ଦୁହିଁଙ୍କ ସମ୍ପର୍କ ବିବାହର ରୂପ ନେଇଛି ।

ଗୋପାଳ ଓ ପଙ୍କଜୀନି ଏବେ ପରସ୍ପରର ହାତ ଧରି ନିଜ ବୈବହାକି ଜୀବନ ଆରମ୍ଭ କରିଛନ୍ତି । ଦୁନିଆଟା ଅନ୍ଧାର ଦିଶୁଥିଲେ ବି ଦୁହେଁ ଦୁହିଁଙ୍କୁ ହୃଦୟର ଆଖିରେ ଦେଖି ବେଶ ଖୁସିରେ ରହିବେ ବୋଲି ଆଶା ବାନ୍ଧିଛନ୍ତି । ଦୃଷ୍ଟିଶକ୍ତି ନଥିବା ଗୋପାଳ-ପଙ୍କଜିନୀଙ୍କ ଏ ପ୍ରେମ କାହାଣୀ ସୁନ୍ଦରତା ପାଇଁ ପ୍ରେମ କରୁଥିବା ଆଉ ପ୍ରତାରଣାର ଶିକାର ହେଉଥିବା ଯୁବକ ଯୁବତୀଙ୍କ ପାଇଁ ବଡ ବାର୍ତ୍ତା ଦେବ ।