ସାମାଜିକ ବାସନ୍ଦ ହେଲା କାଳ ! ବଲାଙ୍ଗୀରରେ କ୍ୟାନସର ରୋଗୀଙ୍କୁ କାନ୍ଧ ଦେବାକୁ ଆସିଲେନି ସମ୍ପର୍କୀୟ ଓ ଜାତିଭାଇ, ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ହେଲା ଶବସତ୍କାର

45

କନକ ବ୍ୟୁରୋ: ଗାଁ ଗଣ୍ଡାରେ ଏବେ ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଲାଗି ରହିଛି । ସଚେତନତା ଅଭାବରୁ ଆଜି ବି ମଣିଷମାନଙ୍କ ମନରେ କୁସଂସ୍କାର ବସା ବାନ୍ଧିଛି । ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ତାଙ୍କ ଶବକୁ କାନ୍ଧ ମିଳି ନଥିଲା । ୧୫ ଘଣ୍ଟା ଧରି ଶବ ଘରେ ପଡ଼ି ରହିଥିଲା । ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ପତ୍ନୀ ଓ ବାପା ଶବକୁ ପୋତି ଦେଇଥିଲେ । ତେବେ ମାନବିକତାକୁ ଲଜ୍ଜିତ କରୁଥିବା ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ମାଲପଡ଼ା ଗାଁରେ ।

ମାଲପଡ଼ା ଗାଁର ସାଦ ମାଝୀଙ୍କ ପୁଅ ମୀନକେତନ ମାଝୀ (୩୨) ୪ବର୍ଷ ତଳେ ସେହି ଗାଁର ଭାମା ବାଗଙ୍କୁ ଭଲ ପାଇ ବିବାହ କରିଥିଲେ। ପୁଅ ଆଦିବାସୀ ଓ ଝିଅ ଗଉଡ଼ ଜାତିର ହୋଇଥିବାରୁ ଦାସଙ୍କୁ ତାଙ୍କ ଜାତି ସମାଜ ବାସନ୍ଦ କରିଥିଲେ। ଜାତିରେ ମିଶିବା ପାଇଁ ବୋଦା (ମେଲଛା) ଭୋଜି ଦେଇ ନପାରି ଅଭାବ ଅସୁବିଧା ହୋଇଥିଲା। ଶେଷରେ ଜାତି ସମାଜକୁ ଭ୍ରୁକ୍ଷେପ ନକରି ସାଦ ମାଝୀ ନିଜ ପୁଅବୋହୂଙ୍କୁ ଘରେ ରଖିଥିଲେ। ଗତବର୍ଷ ମୀନକେତନ ବ୍ଲଡ କ୍ୟାନସରରେ ଆକ୍ରାନ୍ତ ହୋଇଥିଲେ। ଘରେ ଯାହାକିଛି ଅର୍ଥ ଥିଲା ଚିକିତ୍ସାରେ ସରିଯାଇଥିଲା। ବହୁ କଷ୍ଟରେ ପରିବାର ଚଳୁଥିଲା ବେଳେ ଗତ ଗୁରୁବାର ମୀନକେତନଙ୍କ ମୃତ୍ୟୁ ଘଟିଥିଲା ।

ମରିଗଲା ପରେ ଶବ ସତ୍କାର ପାଇଁ ସାଦ ଜାତି ଭାଇଙ୍କୁ ନେହୁରା ହୋଇଥିଲେ । ପୁଣି ସେହି ପୁରୁଣା କଥା ଜାତିରେ ମିଶିବା ପାଇଁ ଜାତି ଭାଇଙ୍କ ଭୋଜିଭାତ ଓ ଅର୍ଥ ଦାବି ଯୋଗୁଁ ମୀନକେତନଙ୍କ ଶବ ୧୫ଘଣ୍ଟା କାଳ ପଡ଼ିରହିଲା । ଏହି ଖବର ପାଇ ଗାଁରେ ପହଂଚିଥିଲେ ଗଣମାଧ୍ୟମ ପ୍ରତିନିଧି । ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ କେହି ଶବସକ୍ରାର କରିବାକୁ ରାଜି ହୋଇନଥିଲେ । ଶେଷରେ କନକ ନ୍ୟୁଜ ଓ ଦୈନିକ ଖବର କାଗଜ ସମ୍ବାଦପତ୍ରର ପ୍ରତିନିଧୀ ମିନକେତନ ମାଝୀଙ୍କ ମୃତଦେହକୁ କାନ୍ଧ ଦେଇ ଅନ୍ତିମ ସଂସ୍କାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୃତ ମୀନକେତନ ଜଣେ ସମାଜସେବୀ ଭାବେ ଅଂଚଳରେ ଜଣାଶୁଣା ଥିଲେ । ଲୋକଙ୍କ ସୁଖ ଦୁଃଖର ସାଥୀ ହେଉଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ଗାଁର ଲୋକେ ତାଙ୍କ ଶବକୁ ସତ୍କାର ପାଇଁ ଆଗେଇ ଆସି ନଥିଲେ । ମୃତ ମୀନକେତନଙ୍କ ପତ୍ନୀଙ୍କ ସମେତ ୨ବର୍ଷର ଝିଅ ଟିଏ ଅଛନ୍ତି । ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।