ପାକିସ୍ତାନର ମସଜିଦରେ ଆତ୍ମଘାତୀ ବିସ୍ଫୋରଣ । ୨୦ ଜଣଙ୍କ ମୃତ୍ୟୁ, ୯୦ରୁ ଅଧିକ ଆହତ ।

177

କନକ ବ୍ୟୁରୋ: ପାକିସ୍ତାନ ପେଶାୱାରରେ ଥିବା ଏକ ମସଜିଦରେ ଆତ୍ମଘାତୀ ହମଲା ହୋଇଛି । ଏହି ଧମାକାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହାଇସାରିଥିବାବେଳେ, ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଧମାକା ଏତେ ଜୋରରେ ଥିଲା ଯେ, ପୂରା ମସଜିଦ୍ ଦୋହଲି ଯାଇଥିଲା । ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପେଶାୱାରର ଏଲଆରସି ହସ୍ପିଟାର ପ୍ରବକ୍ତା ମହମ୍ମଦ ଅସୀମଙ୍କ କହିବା ମୁତାବକ, ଏବେ ବି ଆହତମାନେ ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କ ଭିତରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ସେହି ଅଂଚଳକୁ ପୂରାପୂରା ଘେରାବନ୍ଦୀ କରିଦିଆଯାଇଛି । କେବଳ ଆମ୍ବୁଲାନ୍ସକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ପୋଲିସ ଅଧିକାରୀ ସିକନ୍ଦର ଖାନଙ୍କ କହିବା ମୁତାବକ, କିଛି ଲୋକ ମାଟି ତଳେ ଚାପି ହୋଇଯାଇଥିବା ସୂଚନା ମିଳିଛି ।

ତେବେ ପାକିସ୍ତାନରେ ଏହି ବିସ୍ଫୋରଣ କିଛି ନୂଆ କଥା ନୁହେଁ । ୨୦୨୨ ମସିହା ମେ ୧୬ ତାରିଖରେ ମଧ୍ୟ ପାକିସ୍ତାନରେ ବିସ୍ଫୋରଣ ହୋଇଥିଲା । ପାକିସ୍ତାନର କରାଚିରେ ଏହି ବ୍ଲାଷ୍ଟ ହୋଇଥିଲା । ସେତେବେଳେ ଏମଏ ଜିନ୍ନା ରୋଡର ମେମନ୍ ମସଜିଦରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତା ସହିତ ୮ ଜଣ ଲୋକ ଆହତ ହୋଇଥିଲେ । ତେବେ ଏହି ଘଟଣାର କିଛି ଦିନ ପରେ ଏବେ ପାକିସ୍ତାନରେ ପୁଣି ଥରେ ଏମିତି ବିସ୍ଫୋରଣ ଘଟିଛି ।