ଗୁଜୁରାଟରେ କେମିକାଲ କାରଖାନାରେ ବଡ ଧରଣର ବିସ୍ଫୋରଣ । ହୁତୁହୁତୁ ହୋଇ ଜଳିଲା ନିଆଁ, ୨୪ ଜଣ ଗୁରୁତର ଆହତ ।

53

କନକ ବ୍ୟୁରୋ : ଗୁଜୁରାଟର ଭରୁଚରେ ସୋମବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ସୋମବାର ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ମଙ୍ଗଳବାର ଭୋର ୨ଟା ବେଳେ ଭରୁଚର ଝଗଡ଼ିଆରେ ଥିବା ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା ।

ଘଟଣାସ୍ଥଳରେ ବର୍ତ୍ତମାନ ଦମକଳ ବାହିନୀ ପହଂଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଶବ୍ଦ ଶୁଣିବାକୁ ମିଳିଥିଲା । ସୂଚନା ମୁତାବକ ବିସ୍ଫୋରଣ ଯୋଗୁଁ ଗୁରୁତର ଆହତ ହୋଇଥିବା ୨୪ କର୍ମଚାରୀଙ୍କୁ ଭରୁଚ ଓ ବଡୋଦରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଜଣାପଡ଼ିନଥିଲେ ବି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ନିଆଁ ଲାଗିଯାଇଥିବାର ସନ୍ଦେହ କରାଯାଉଛି ।

ସୂଚନା ଥାଉ କି ଗତବର୍ଷ ଜୁନ ମାସରେ ଭରୁଚରେ ଥିବା ଅନ୍ୟ ଏକ କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ୭୭ ଜଣ ଆହତ ହୋଇଥିଲେ ।