କାବୁଲ ସମେତ ଆଫଗାନର ଅନେକ ସହରରେ ବିଜୁଳି ସଂକଟ । ତାଲିବାନ ଅର୍ଥ ପୈଠ ନକରିବାରୁ ଏଭଳି ସମସ୍ୟା

147

କନକ ବ୍ୟୁରୋ : ଏବେ ବିଶ୍ୱର ଅନେକ ଦେଶ ବିଜୁଳି ସଂକଟର ସମ୍ମୁଖୀନ ହୋଇଛନ୍ତି । ଭାରତ, ଆମେରିକା, ଚୀନ ପରେ ଏବେ ତାଲିବାନ ଶାସିତ ଆଫଗାନିସ୍ତାନରେ ବିଜୁଳି ସଂକଟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଆଫଗାନର ରାଜଧାନୀ କାବୁଲ ସମେତ ଦେଶର ବିିଭିନ୍ନ ପ୍ରାନ୍ତରେ ବିଜୁଳି କଟିଯିବା କାରଣରୁ ଲୋକମାନେ ଅନ୍ଧାରରେ ରହିଛନ୍ତି । ଓଜବେକିସ୍ତାନରୁ ଯୋଗଣ ହେଉଥିବା ଟେକନିକ୍ ରେ କିଛି ଅସୁବିଧା କାରଣରୁ ଏଭଳି ବିଜୁଳି ସଂକଟ ହୋଇଥିବା କୁହାଯାଇଛି । ଅନ୍ୟପଟେ ଆଫଗାନର ସରକାରୀ ବିଜୁଳି କମ୍ପାନୀ ‘ଦ ଆଫଗାନିସ୍ତାନ ବ୍ରେସନା ଶେରକତ’ ଉପରେ ଏସିଆ ମହାଦେଶର ଅନେକ ବିଜୁଳି କମ୍ପାନୀଙ୍କ ଦେୟ ବାକି ଥିବାରୁ ସେମାନେ ଯୋଗାଣ ବନ୍ଦ କରିଥିବା କଥା ବି କୁହାଯାଉଛି । ଏହାସହ ତାଲିବାନ କ୍ଷମତାକୁ ଆସିବା ପରେ କମ୍ପାନୀ ମାନଙ୍କୁ ସେମାନଙ୍କ ବିଜୁଳି ଦେୟ ଦେଉନଥିବା କଥା ବି ସାମ୍ନାକୁ ଆସିଛି ।

ଏସବୁ ଭିତରେ ୬.୨ କୋଟି ଡଲାର ଅର୍ଥ ବିଜୁଳି ବିଲ ଦେବାକୁ ଆଫଗାନ ସରକାରୀ ବିଜୁଳି କମ୍ପାନୀ ଏବେ ଦେଶର ସଂପତ୍ତି ବିକ୍ରି କରିବାକୁ ଯୋଜନା କରୁଥିବା ଜଣାପଡିଛି । ଏହାସହ ଆଫଗାନରେ ତାଲିବାନୀ ଶାସନ ଚାଲିବା ପରେ କେବଳ ବିଜୁଳି ନୁହେଁ ଖାଦ୍ୟ ପଦାର୍ଥର ଅହେତୁକ ମୂଲ୍ୟ ବୃଦ୍ଧି ହେବା ସହ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ବି ଦେଖିବାକୁ ମିଳିଛି ।

କହିରଖୁ କି ଆଫଗାନିସ୍ତାନ ବିଜୁଳି ପାଇଁ ମଧ୍ୟ ଏସିଆ ଦେଶମାନଙ୍କ ଉପରେ ବିଶେଷ ଭାବେ ନିର୍ଭର କରିଥାଏ । ଆଫଗାନକୁ ୮୦ ପ୍ରତିଶତ ବିଜୁଳି ଓଜବେକିସ୍ତାନ ଓ ତାଜିକିସ୍ତାନରୁ ମଳିଥାଏ । ଚଳିତ ବର୍ଷ ତାଲିବାନ ଆଫଗାନକୁ ଦଖଲ କରିବା ପରେ ତାଲିବାନ ସରକାର ଏହି କମ୍ପାନୀ ମାନଙ୍କର ବକେୟା ବିଜୁଳି ବିଲ୍ ଦେବାକୁ ବିଫଳ ହୋଇଛି ।