କଳାପଟା ଗୋଟିଏ, ପାଳିକରି ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା। ଜୟପୁର ତୁରୁଡିପୁଟରେ ପଢାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷୟିତ୍ରୀ।

84

କନକ ବ୍ୟୁରୋ: ସ୍କୁଲରେ ଅଛି ଗୋଟିଏ କଳାପଟା । ହେଲେ ସେଥିରେ ପାଠ ପଢୁଛନ୍ତି ୫ଟି ଶ୍ରେଣୀର ପିଲା । ତା ପୁଣି ଗୋଟିଏ ଶ୍ରେଣୀ ଗୃହରେ । ଗୋଟିଏ କଳାପଟାରେ ଭାଗଭାଗ କରି ପଢାଉଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ । ଏହିଭଳି ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି ଜୟପୁର ତୁରୁଡିପୁଟ ବିଦ୍ୟାଳୟରେ । ଗାଁ ଆଖପାଖରେ କୌଣସି ବିଦ୍ୟାଳୟ ନାହିଁ । ଯାହାଫଳରେ ଗାଁର ସବୁ ପିଲା ସେହି ଗୋଟିଏ ବିଦ୍ୟାଳୟକୁ ଯାଉଛନ୍ତି ପାଠ ପଢିବାକୁ । ସମସ୍ତଙ୍କ ମନରେ ଅନେକ ସ୍ୱପ୍ନ । କିଏ କହୁଛି ପୁଲିସ ହେବି ତ ଆଉ କିଏ କହୁଛି ହେବି ଶିକ୍ଷକ । ହେଲେ ବିଦ୍ୟାଳୟରେ ଏହି ଅବ୍ୟବସ୍ଥା ଦେଖି ପିଲାମାନଙ୍କର ଭବିଷ୍ୟତ କଣ ହେବ ତାହା ସ୍ପଷ୍ଟ ଅନୁମାନ କରିହୁଏ ।

ସ୍କୁଲରେ ୨ ଜଣ ଶିକ୍ଷୟିତ୍ରୀ ରହିଥିଲେ । ଜଣେ ଅବସର ନେବା ପରେ ଆଉ ମାତ୍ର ଜଣେ ପାଠ ପଢାଇବାକୁ ରହିଛନ୍ତି । ଜଣେ ମାତ୍ର ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପାଠ ପଢାଇବାରୁ ନେଇ ସମସ୍ତ କାମ ବୁଝନ୍ତି । ଏନେଇ ଅଭିଯୋଗ ପରେ ଅଭିଯୋଗ ହୋଇଚାଲିଛି । ହେଲେ ଏପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତ ହୋଇପାରୁନି କିି ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିପାରୁନି । କେବଳ ସ୍କୁଲ ନୁହେଁ ଅଭିଯୋଗ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ପାଖକୁ ଯାଇଥିଲେ ବି ସେଠାରେ ସେହିଭଳି ସମାନ ସ୍ଥିତି ଦେଖିବାକୁ ମିଳିଛି ।