‘ଦେଶକୁ ବରବାଦ କରିଦେବେ ମୋଦି’ ! ଅମିତ ଶାହଙ୍କ ଉପସ୍ଥିତିରେ ଏଭଳି ବୟାନ ରଖିଲେ ବିଜେପି ସାଂସଦ, ଜାଣନ୍ତୁ କେଉଁଠି

51

ମୋଦି ଦେଶକୁ ବରବାଦ କରିଦେବେ । ଗରିବ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ପାଇଁ ମୋଦି କିଛି ମଧ୍ୟ କରିବେ ନାହିଁ । ଆପଣ ଆମକୁ ଭୋଟ ଦିଅନ୍ତୁ । ଏଭଳି କଥା କୌଣସି ବିରୋଧୀ ନୁହେଁ ବରଂ ବିଜେପି ସାଂସଦଙ୍କ ମୁହଁରୁ ଏଭଳି କଥା ଶୁଣିବାକୁ ମିଳିଛି । ବିଜେପି ସାଂସଦ ହୋଇ କିପରି ଜଣେ ମୋଦିଙ୍କ ବିରୋଧରେ ଏଭଳି କହିଲେ ତାହା ଆପଣଙ୍କୁ ଆଶ୍ଚଯ୍ୟ କରିବ ନିଶ୍ଚୟ । କିନ୍ତୁ କଥାଟା ସତ । ଖୋଦ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ହିଁ ଏଭଳି କହିଛନ୍ତି ବିଜେପି ସାଂସଦ ପ୍ରହ୍ଲାଦ ଯୋଶୀ । ଆଉ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ବିଜେପି ପାଇଁ ଗୋଟିଏ ପରେ ଗୋଟିଏ ଅସୁବିଧା ଦେଖାଦେଉଛି । କଂଗ୍ରେସ ଖେଳିଥିବା ଲିଙ୍ଗାୟତ କାର୍ଡ ବିଜେପିକୁ ଅଡୁଆରେ ପକାଉଥିବା ବେଳେ ଏବେ ବିଜେପି ନେତାଙ୍କ ହିନ୍ଦି ଭାଷଣକୁ କନ୍ନଡରେ ଅନୁବାଦ କରୁଥିବା ନେତା ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ସୂଚନା ଅନୁଯାୟୀ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଦବାନାଗରୀରେ ପ୍ରଚାର କରୁଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଚାର ସମୟରେ ଅମିତ ଶାହ ହିନ୍ଦିରେ କଂଗ୍ରେସ ସରକାର ତଥା ସିଦ୍ଦରମେୟା ସରକାର ଉପରେ ଖୁବ ବର୍ଷିଥିଲେ । ଏହାସହ ସିଦ୍ଦାରମେୟା ସରକାର କର୍ଣ୍ଣାଟକର ବିକାଶ କରି ପାରିବ ନାହିଁ । ମୋଦିଙ୍କ ଉପରେ ବିଶ୍ୱାସ ରଖି ୟେଦୁରପ୍ପାଙ୍କୁ ଭୋଟ ଦିଅନ୍ତୁ । କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବା ଆମର ଦାୟିତ୍ୱ ।

କିନ୍ତୁ ଏହାପରର ଘଟଣା ଥିଲା ବେଶ ରୋଚକ । ଯେତେବେଳେ ଅମିତ ଶାହଙ୍କ ଭାଷଣକୁ କନ୍ନଡରେ ଅନୁବାଦ କରିଥିଲେ ଦଳୀୟ ସାଂସଦ ପ୍ରହ୍ଲାଦ ଯୋଶୀ । ଅମିତଙ୍କ ଭାଷଣର ସମ୍ପୂର୍ଣ୍ଣ ଓଲଟା କହିଥିଲେ ପ୍ରହ୍ଲାଦ । ଅମିତ ଭାଷଣକୁ ଅନୁବାଦ କରିବାକୁ ଯାଇ ପ୍ରହ୍ଲାଦ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ଦଳିତ ଓ ପଛୁଆ ବର୍ଗ ଲୋକଙ୍କ ପାଇଁ କିଛି କରିବେ ନାହିଁ । ଏହାସହ ଦେଶକୁ ପୂରା ବରବାଦ କରିଦେବେ । ତେଣୁ ଆମକୁ ଭୋଟ ଦିଅନ୍ତୁ । ଏକଥା ଶୁଣିବା ପରେ କିଛି ସମୟ ସମସ୍ତେ ଆଶ୍ଚଯ୍ୟ ହୋଇଥିଲେ ।

ଚଳିତ ନିର୍ବାଚନ ପ୍ରଚାରରେ ଏହି ଘଟଣା ପ୍ରଥମଥର ଦେଖିବାକୁ ମିଳିନାହିଁ । ଏହାପୂର୍ବରୁ ଚିତ୍ରଦୁର୍ଗରେ ଅମିତ ପ୍ରଚାର କରୁଥିବା ବେଳେ ହିନ୍ଦୀରେ ଭାଷଣ ଦେଇ ହରଡଘଣାରେ ପଡିଥିଲେ । ଯେତେବେଳେ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲୋକମାନେ ଚାହୁଁଛନ୍ତି କି ନାହିଁ ହିନ୍ଦୀରେ ପଚାରିଥିଲେ ସେତେବେଳେ ଲୋକଙ୍କର ଉତ୍ତରରେ ଆଶ୍ଚଯ୍ୟ ହୋଇଯାଇଥିଲେ । କାରଣ ହିନ୍ଦୀ ବୁଝୁନଥିବା ଲୋକ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ମନା କରିଥିଲେ । ଏହା ପୂର୍ବରୁ ଅମିତ ଶାହ ମଧ୍ୟ ଚଳିତ ନିର୍ବାଚନ ପ୍ରଚାରରେ ୟେଦୁରପ୍ପାଙ୍କ ସରକାରକୁ ସବୁଠୁ ଦୁର୍ନୀତିଗ୍ରସ୍ତ ସରକାର ବୋଲି କହିଥିଲେ । ଏହାକୁ ନେଇ କଂଗ୍ରେସ କହିଥିଲା ଅମିତଙ୍କ ପାଟିରୁ ସତ କଥା ବାହାରିଛି । ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।

News Courtesy- AajTak