ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ ପରେ ଓଡ଼ିଶାରେ ପ୍ରତିଯୋଗିତା : କ୍ଷମତାକୁ ଆସିଲେ ଋଣ ଛାଡ ପାଇଁ ବିଜେପିର ଘୋଷଣା, କଂଗ୍ରେସ ଦୋହରାଇଲା ପ୍ରତିଶ୍ରୁତି

225

କନକ ବ୍ୟୁରୋ : କୃଷି ଋଣ ଛାଡ ଘୋଷଣା କଂଗ୍ରେସକୁ ସଫଳତା ଆଣିଦେବା ପରେ, ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ମଧ୍ୟପ୍ରଦେଶ ଓ ଛିତିଶଗଡରେ ନୂଆ ସରକାର ଋଣ ଛାଡ କରିବା ପରେ ଓଡିଶା ସରକାରଙ୍କ ଉପରେ ଚାପ ବଢୁଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟରେ କ୍ଷମତାକୁ ଆସିଲେ ଋଣ ଛାଡ କରିବାକୁ ଘୋଷଣା କରିସାରିଲେଣି । ତେଣୁ ନିର୍ବାଚନୀ ବର୍ଷରେ ଏହି ବଡ ଭୋଟ୍ ବ୍ୟାଙ୍କକୁ ହତଛଡା କରିବାକୁ ଚାହିଁବନି ବିଜେଡି । ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ମନ୍ତ୍ରୀସ୍ତରୀୟ କମିଟିର ବୈଠକ ଦୁଇଥର ବସିସାରିଲାଣି । ସେପଟେ ଏମଏସପି ବୃଦ୍ଧି ଦାବିରେ ଦିଲ୍ଲୀ ଦରବାରରେ ବିରୋଧ ପାଇଁ ସଜବାଜ ଚାଲିଛି । ସମାନ ଢଙ୍ଗରେ ରାଜ୍ୟ ସରକାରଙ୍କ ଅବହେଳାକୁ ମୁଦ୍ଦା କରି ଆନ୍ଦୋଳନ କରିବେ ବିଜେପି ଓ କଂଗ୍ରେସ ।

କମଲ ନାଥ, ଶପଥ ନେବାର ଦୁଇ ଘଂଟା ପରେ ମଧ୍ୟପ୍ରଦେଶର ଚାଷୀଙ୍କ ପାଇଁ ଯେଉଁ ନିଷ୍ପତି ନେଇଥିଲେ, ଭୂପେଶ ବାଘେଲ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ପ୍ରଥମ ଦିନରେ ହିଁ ଛତିଶଗଡ଼ର ଚାଷୀଙ୍କ ପାଇଁ ସମାନ ନିଷ୍ପତି ନେଇଛନ୍ତି । ନିର୍ବାଚନୀ ଇସ୍ତାହାରରେ ଯେଉଁ କୃଷି ଋଣର ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ, କ୍ଷମତାକୁ ଆସିବା ପରେ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରିଛି । ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ସରକାରଙ୍କ ଏହି ଘୋଷଣାର ଏକ ଜବରଦସ୍ତ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । କ୍ଷମତାକୁ ଆସିଲେ ଓଡ଼ିଶାରେ ବି କୃଷି ଋଣ ଛାଡ଼ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସଭାପତି ।

୨୦୧୯ ସାଧାରଣ ନିର୍ବାଚନରେ ଚାଷ ଓ ଚାଷୀ ପ୍ରସଙ୍ଗ କେତେ ଗୁରୁତ୍ୱ ରଖୁଛି, ରାଜନୈତିକ ଦଳ ଗୁଡ଼ିକର ଏହି ତତ୍ପରତାରୁ ସ୍ପଷ୍ଟ ବାରି ହୋଇପଡୁଛି । ବିଜେପିର ଏହି ଘୋଷଣାର ଖୁବ୍ ପୂର୍ବରୁ ଅର୍ଥାତ୍ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ନେବା ଦିନଠାରୁ କୃଷି ଋଣ ଛାଡ ନେଇ ବାରମ୍ବାର କହି ଆସୁଛନ୍ତି । ଶାସକ ବିଜେଡି ବି ଅନୁରୁପ ଚିନ୍ତା କରୁଥିବା କୁହାଯାଉଛି ।

କିନ୍ତୁ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କୌଣସି ଦଳ ଦେଶର ସବୁଠୁ ବଡ ଭୋଟକୁ ହାତ ଛଡ଼ା କରିବାକୁ ଚାହିଁବେ ନାହିଁ । ତେଣୁ ନିର୍ବାଚନ ପୂର୍ବରୁ ସବୁ ଦଳ କୃଷି ଋଣ ଛାଡ଼ କଥାକୁ ବେଶ ଗୁରୁତ୍ୱ ଦେଉଛନ୍ତି । ଏପଟେ ଚାଷୀ ପ୍ରସଙ୍ଗରେ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ପ୍ରତିଦ୍ୱନ୍ଦିତା ଆଉ ଗୋଟିଏ ପାଦ ଆଗକୁ ଯାଇଛି । ଆସନ୍ତା ୮ ତାରିଖରେ ଦିଲ୍ଲୀରେ ବିଜେଡି ଚାଷ ଓ ଚାଷୀ ପ୍ରସଙ୍ଗରେ ସଂସଦ ଘେରାଉ କରିବାକୁ ଘୋଷଣା କରିଥିବା ବେଳେ ସେହି ୮ ତାରିଖରେ ରାଜ୍ୟ ସଚିବାଳୟ ଘେରାଉ କରିବାକୁ ଘୋଷଣା କରିଛି ରାଜ୍ୟ ବିଜେପି । ଆଉ ଏପଟେ ଶାସକ ବିଜେଡି ବିରୁଦ୍ଧରେ ଆନ୍ଦୋଳନ କରିବ କଂଗ୍ରେସ ।