କନକ ବ୍ୟୁରୋ : ୩ ରାଜ୍ୟରେ ବିଜେପି ବିଜୟୀ ହେବା ପରେ ଉତ୍ସାହିତ ରାଜ୍ୟ ବିଜେପି । ୩ ରାଜ୍ୟରେ ଯେପରି ବିଜେପି ବିଜୟୀ ହେଲା ସେହିପରି ଭାବେ ଓଡିଶାରେ ବିଜୟୀ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅଧିକ ରହିଛି । ଏଥିସହ ଲୋକଙ୍କ ଆଶୀର୍ବାଦ ମଧ୍ୟ ରହିଛି । ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ବେଳେ ଓଡିଶାବାସୀ ବିଜେପିକୁ ଭୋଟ୍ ଦେବେ ।

Advertisment

ରାଜ୍ୟରେ ଭ୍ରଷ୍ଟାଚାର ସରକାର ଚାଲିଛି ବୋଲି ମନମୋହନ କହିବା ସହ ଏହା ବିରୋଧରେ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି । ଓଡ଼ିଶାରେ କେବଳ ଘୋଷଣା ସର୍ବସ୍ୱ ସରକାର ଚାଲିଛି । ଭୁଲ ତଥ୍ୟ ଦେଲେ ଲୋକେ ଭୋଟ ଦେବେନି । ଏକଥା ଲୋକେ ଗତକାଲିର ଭୋଟରେ ପ୍ରମାଣିତ କରିଛନ୍ତି । ଓଡ଼ିଶାରେ ଆଖି, କାନ ନଥିବା ସରକାର ଚାଲିଛି । ଓଡ଼ିଆ ଲୋକଙ୍କ ହୃଦୟର କଥା ବୁଝୁନଥିବା ସରକାର ଏଠାରେ ଚାଲିଛି । ବିକାଶ ବହୁତ ପଛରେ ରହିଛି, କେନ୍ଦ୍ରରୁ ଆସୁଥିବା ଅର୍ଥକୁ ସଠିକ୍ ଢଙ୍ଗରେ ଖର୍ଚ୍ଚ ହୋଇପାରୁନି । କୋଟି କୋଟି ଓଡ଼ିଆ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାର ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ଲୋକଙ୍କ ଭାବନାକୁ ବିଜେଡି ବୁଝିପାରୁନି । ରତ୍ନଭଣ୍ଡାର ଖୋଲାଯାଉନି, ଲୋକଙ୍କ ମନ ଆନ୍ଦୋଳିତ ହେଉଛି । ଯାହା ଆଗାମୀ ଦିନରେ ବିସ୍ଫୋରଣ ହେବ । ମୋଦୀ ଗ୍ୟାରେଣ୍ଟିକୁ ଲୋକ ଗ୍ରହଣ କଲେଣି । ଯାହା ବିଜେପି କହୁଛି ତାହା କାର୍ଯ୍ୟକାରୀ ହେଉଛି ଯେଉଁଥିପାଇଁ ୩ ରାଜ୍ୟରେ ବିଜେପି ସରକାର ଗଢିଲା । ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଢିବ ବୋଲି କହିଛନ୍ତି ମନମୋହନ ।