୯ବର୍ଷର ମେଂଟ ସରକାର ବେଳେ ବିଜେପି ମଧ୍ୟ ଉତ୍ତରଦାୟୀ କହିବା ପରେ ବିଶ୍ୱଭୂଷଣଙ୍କ ବୟାନକୁ ନେଇ ବିବାଦ : ମନମୋହନ କହିଲେ, ବିଶ୍ୱଭୂଷଣଙ୍କ ଏହା ବ୍ୟକ୍ତିଗତ ମତ

45

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ହଲଚଲ । ୯ ବର୍ଷର ବିଜେପି-ବିଜେଡି ମେଂଟ ସରକାରରେ , ତ୍ରୁଟି ପାଇଁ ବିଜେପି ବି ସମପରିମାଣରେ ଦାୟୀ ବୋଲି ବିଶ୍ୱଭୂଷଣ ମତ ଦେବା ପରେ ଆଜି ତାଙ୍କୁ ଘେରିଛି ବିଜେପି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି, ମେଂଟ ସରକାରରେ କିଛି ବି ଭୁଲ୍ କରିନାହାଁନ୍ତି ବିଜେପି ମନ୍ତ୍ରୀ ।

୯ ବର୍ଷର ମେଂଟ ସରକାରରେ ଥିବା ବିଜେପି ଓ ଏହାର ନେତା ସେସମୟର ତ୍ରୁଟି ପାଇଁ ଉତ୍ତରଦାୟୀ । ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ଘେରିଛନ୍ତି ତାଙ୍କରି ଦଳର ନେତା । ତତକାଳୀନ ସଭାପତି ମନମୋହନ ସାମଲ କହିଛନ୍ତି, ମେଂଟ ସରକାରରେ ବିଜେପି ମନ୍ତ୍ରୀ ସବୁ କାମ ଠିକ୍ କରିଛନ୍ତି । ଆଉ ଯଦି କିଛି ଭୁଲ୍ କରିଥାନ୍ତେ, ତେବେ ବିଜେଡି ସରକାର ଏଯାଏଁ ଚୁପ୍ ବସିନଥାନ୍ତେ ।

ବିଭିନ୍ନ ପ୍ରସଙ୍ଗରେ ୧୮ ବର୍ଷର ବିଜେଡି ସରକାରକୁ କାଠଗଢାରେ ଠିଆ କରୁଥିବା ବିଜେପି ଅକଳରେ ପଡିଯାଇଛି । ଯେତେବେଳେ ପୂର୍ବତନ ମନ୍ତ୍ରୀଙ୍କ ବୟାନ ନିଜ ଦଳର ନେତାଙ୍କୁ ପ୍ରଶ୍ନ ଘେରକୁ ଟାଣିଆଣିଛି । ତେବେ ମନମୋହନ ଖୋଲା ଆହ୍ୱାନ ଦେଇ କହିଛନ୍ତି, ବିଜେପି ନେତାଙ୍କ ତ୍ରୁଟି ବାହାର କରନ୍ତୁ ମୁଖ୍ୟମନ୍ତ୍ରୀ । ବିଶ୍ୱଭୂଷଣଙ୍କ ବୟାନ ବିଜେପିକୁ ଅଡୁଆରେ ପକାଇଥିବା ବେଳେ ଏନେଇ ତାଙ୍କ ସହ ଆଲୋଚନା ପରେ ହିଁ କୌଣସି ମତ ରଖିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଚ୍ଛାଧୀନ କୋଟାର ଅପବ୍ୟବହାର ହୋଇଥିବା ନେଇ ବିଜେଡି ସରକାର ଉପରେ ବାରମ୍ବାର ବର୍ଷିଛି ବିଜେପି । ହେଲେ ଏଥିପାଇଁ ବିଜେପି ନେତା ବି ସମପରିମାଣରେ ଦାୟୀ ବୋଲି ବିଶ୍ୱଭୂଷଣ କହିବା ପରେ ଆରମ୍ଭ ହୋଇଯାଇଛି ବିବାଦ ।