ପୁରୀରେ ବିଜେପିର ୨ ଦିନିଆ ରାଷ୍ଟ୍ରୀୟ ଜନଜାତି ଅଧିବେଶନ । ସରକାରଙ୍କୁ ସମାଲୋଚନା କଲେ ବିଜେପି ନେତା, କାଲି ଶାହା ଦେବେ ଉଦବୋଧନ ।

87

କନକ ବ୍ୟୁରୋ: ପୁରୀରେ ଉଦଘାଟିତ ହେଲା ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ମହାଅଧିବେସନ । ଏହାକୁ ଉଦଘାଟନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଏହି ଅବସରରେ ସୋନୱାଲ କହିଛନ୍ତି ଯେ, କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାର ଦେଶର ଅନୂସୁଚିତ ଜନଜାତିମାନଙ୍କର ବିକାଶ ପାଇଁ ଅହରହ ପ୍ରୟାସ କରୁଛନ୍ତି । ସବକା ସାଥ ସବକା ବିକାଶର ଆହ୍ନାନ ଦେଇଥିବା ନରେନ୍ଦ୍ର ମୋଦି ଅନୂସୁଚିତ ଜନଜାତି ଲୋକମାନଙ୍କର ବିକାଶ ହେବ ସେଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଯୋଜନାର ପେଡି ଖୋଲିଛନ୍ତି । ଜନଜାତି ବର୍ଗର ବିକାଶ ପାଇଁ ଆଗାମି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣକରିବାକୁ ହେବ ବୋଲି ଆଜି ପୁରୀଠାରେ ଅନୁଷ୍ଠିତ ୨ ଦିନିଆ ଜନଜାତି ଅଧିବେଶନରେ କହିଛନ୍ତି ସୋନୱାଲ ।

ସେହିଭଳି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଜନଜାତିଙ୍କର କଲ୍ୟାଣ ପାଇଁ ଅନେକ ଯୋଜନା ହୋଇଛି । ଆମ ଦେଶର ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଆମର ଜନଜାତିଭାଇମାନଙ୍କର ଅବଦାନ ଅତୁଳନୀୟ । ସେମାନଙ୍କର ବିକାଶ ପାଇଁ ଆମ ଦଳ ସବୁବେଳେ ପ୍ରୟାସ କରୁଛି । ୯୨ ଟି ଏକଲବ୍ୟ ବିଦ୍ୟାଳୟ ଓଡିଶାକୁ ମିଳିଥିବାବେଳେ ରାଜ୍ୟସରକାରଙ୍କ ଆଗ୍ରହ ନଥିବା କାରଣରୁ ହଜାର ହଜାର ଜନଜାତି ଛାତ୍ରଛାତ୍ରୀ ଉନ୍ନତମାନର ଶିକ୍ଷାରୁ ବଂଚିତ ରହୁଛନ୍ତି ବୋଲି ବସନ୍ତ କହିଛନ୍ତି ।

ସେପଟେ ଜନଜାତି ରାଷ୍ଟ୍ରୀୟ ମୋର୍ଚ୍ଚାର ଜାତୀୟ ସଭାପତି ରାମବିଚାର ନେତମ ମଧ୍ୟ ସରକାରଙ୍କୁ ନିଶାନା କରିଛନ୍ତି । ଲୋକମାନେ ଭାରତୀୟ ଜନତା ପାର୍ଟି ସହ ଚଟାଣ ଭଳି ଲାଗିକରି ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ପ୍ରତି ଦେଶର ୮ କୋଟି ଜନଜାତି ଭାଇଭଉଣୀ ମାନେ ଆସ୍ଥା ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଆମମାନଙ୍କର ବିଶ୍ୱାସକୁ ଆଗେଇ ନେବା ସହ ଅନେକ ଜନକଲ୍ୟାଣକାରି ଯୋଜନା କରିଛନ୍ତି । ହେଲେ ଓଡିଶାରେ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।