କନକ ବ୍ୟୁରୋ: ଘରୋଇ ସ୍କୁଲ ଭଳି ଚକାଚକ ପରିବେଶ, ଉନ୍ନତ ଶ୍ରେଣୀଗୃହ, ଖେଳପଡିଆରେ ସରକାରୀ ସ୍କୁଲର ପିଲା ପାଠ ପଢ଼ିବେ । ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ୫ଟି ଅଧୀନରେ ସ୍କୁଲ ଗୁଡିକର ରୂପାନ୍ତରଣ କରାଯାଉଛି । କିନ୍ତୁ ୫ଟି ଅଧିନରେ ରୂପାନ୍ତରଣ ହୋଇଥିବା ସ୍କୁଲରୁ ଯେଉଁସବୁ ବିକଳ ଚିତ୍ର ଆସୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ଜବାବରେ ବିଜେଡି କହିଛି, ବିରୋଧୀଙ୍କ କାମ ବିରୋଧ କରିବା ।

Advertisment

ପିପିଲି, ମୋହନା, ଜଳେଶ୍ୱର, ରାଜକନିକା । ସ୍ଥାନ ଅଲଗା ଅଲଗା ହେଲେ ଖବର କିନ୍ତୁ ସମାନ । ଶ୍ରେଣୀ ଗୃହରୁ ଗଳୁଛି ପାଣି । ଆଉ କ୍ଲାସ୍ ଭିତରେ ଛତାଧରି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲର ଉଭୟ ଛାତ ଓ ଆଜବେଷ୍ଟସରୁ ଗଳୁଛି ପାଣି । ତଳ ଓଦା ହୋଇଯିବାରୁ ବାରଣ୍ଡାରେ ଚାଲିଛି ପାଠପଢ଼ା । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ପଡ଼ିବାରୁ ବନ୍ଦ ହୋଇଯାଇଛି ସ୍କୁଲ । ପିଲାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି, ଗାଁ ଲୋକ ଏବେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଶିକ୍ଷା ବ୍ୟବସ୍ଥା ଏହି ଅଭାବନୀୟ ଖବର ଆସିଛି ବାଲେଶ୍ୱର ଜିଲ୍ଲା ବାଉଁଶଖଣ୍ଡା ଗାଁରୁ । ଆଉ କେନ୍ଦ୍ରାପଡ଼ା ଉଜାଙ୍ଗ ସ୍କୁଲର ୨ଟି ଭଙ୍ଗା ଘରେ ପାଠ ପଢ଼ୁଛନ୍ତି ୭ଟି ଶ୍ରେଣୀର ଛାତ୍ରଛାତ୍ରୀ ।

ସ୍କୁଲ ଗୁଡ଼ିକର ଏହି ସବୁ ଅଭାବନୀୟ ଖବର ଭିତରେ ରାଜ୍ୟର ବିଭିନ୍ନ ସ୍କୁଲରୁ ପ୍ଲାଷ୍ଟର ଖସି ଛାତ୍ର ଓ ଶିକ୍ଷକ ଆହତ ହେବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଯାହା ବିରୋଧୀଙ୍କୁ ଟାର୍ଗେଟ୍ କରିବାର ସୁଯୋଗ ଆଣି ଦେଇଛି । ବିଜେପି ଅଭିଯୋଗ କରିଛି- ୫ଟି ସ୍କୁଲ କାମ କରିଥିବା ଠିକାଦାରଙ୍କ ଜରିଆରେ ବିଜେଡି ନିର୍ବାଚନ ପାଣ୍ଠି ଆଦାୟ କରୁଛି । ଟିମ୍ ୱାର୍କ ନାଁରେ ଲୁଟ୍ କରାଯାଉଛି । ୫୦ ଲକ୍ଷରୁ ୧୦ ଲକ୍ଷ ଖର୍ଚ୍ଚ ହୋଇଛି, ଅବଶିଷ୍ଟ ୪୦ ଲକ୍ଷ ଲୁଟ୍ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ୬ ମାସ ତଳେ ତିଆରି ହୋଇଥିବା ଛାତ କେମିତି ଭୁଶୁଡ଼ି ପଡ଼ୁଛି ବୋଲି ପ୍ରଶ୍ନ କରିଛି । ଏପଟେ ଜବାବରେ ବିଜେଡି କହିଛି, ଶିକ୍ଷାନୁଷ୍ଠାନ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମ ସାରା ଦେଶ ପାଇଁ ଏକ ମଡେଲ୍ । ବିରୋଧୀଙ୍କ କାମ ବିରୋଧ କରିବା ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । ତେବେ ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ତୃଣମୂଳସ୍ତରରୁ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ଶିକ୍ଷା ବ୍ୟବସ୍ଥା ଭିତରେ ଥିବା ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।