ମାହାଙ୍ଗା ଡବଲ ମର୍ଡର ଘଟଣାରେ ଉଠିଲା ପଡିଲା ବିଧାନସଭା, ମନ୍ତ୍ରୀମଣ୍ଡଳରୁ ପ୍ରତାପଙ୍କ ବହିଷ୍କାର ଦାବି କଲା ବିଜେପି । 

84

କନକ ବ୍ୟୁରୋ : ବିଧାନସଭାରେ ‘ମାହାଙ୍ଗା ମର୍ଡର’ତାତି । ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏଫଆଇଆରେ ଉଲ୍ଲେଖ ଥିଲେ ମଧ୍ୟ କାହିଁକି ଏଯାଏଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ଏବଂ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଗଲା ନାହିଁ ତାହାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେପି । ଏପରିକି ମାହାଙ୍ଗା ଡବଲ ମର୍ଡର ଘଟଣାରେ ହୋଇଥିବା ଏତଲାରେ ଆଇନ ମନ୍ତ୍ରୀଙ୍କୁ ୧୩ ନମ୍ବର ଅଭିଯୁକ୍ତ ଦର୍ଶାଯାଇଥିଲେ ମଧ୍ୟ ଏଯାଏଁ କାହିଁକି ସରକାର ପ୍ରତାପଙ୍କୁ ଘଣ୍ଟ ଘୋଡାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏପରିକି ପୂର୍ବତନ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ନାଁରେ ଅଭିଯୋଗ ଆସିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କୃତ କରାଯାଇଥିଲା ।  ଏବେ ପ୍ରତାପଙ୍କ କ୍ଷେତ୍ରରେ ରେ ସରକାର ଚୁପ କାହିଁକି ବୋଲି ପ୍ରଶ୍ନ କଲା ବଜେପି । ଏହାସହ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ଦାବି କରିଛି ବିଜେପି ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ କହିଛନ୍ତି ଯେ, ସଙ୍ଗୀନ ଅଭିଯୋଗ ଥିବା ଜଣେ ମନ୍ତ୍ରୀ ପବିତ୍ର ଗୃହରେ କେମିତି ବସିବେ ? ଆଇନ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ କରାଯାଉ । ଏଥିପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଏହାସହ ଗୃହରେ ବିଜେପି  ସଦସ୍ୟ ନାରାବାଜି କରିବା ସହ ବ୍ୟାନର ଦେଖାଇ ପୋଡିୟମ ତଳେ ପ୍ରତିବାଦ କରିଥିଲେ । ଆଉ ବାରମ୍ବାର ହଟ୍ଟଗୋଳ ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।