ଉପକୂଳ ରାଜପଥ ପ୍ରକଳ୍ପକୁ ନେଇ ରାଜନୈତିକ ବୟାନାବାଜି ସରଗରମ । ବିଜେଡି ଉପରେ ଦୋଷ ଲଦିଲା ବିଜେପି

169

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାର କୋଷ୍ଟାଲ ହାଇୱେର ନକ୍ସାରେ ବାରମ୍ବାର ପରିବର୍ତନ ହେଉଥିବା ନେଇ ବିଜେଡି କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ସଂପୂର୍ଣ୍ଣ ତଥ୍ୟ ନଜାଣି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ଗତ ୨୭ ଜାନୁଆରୀରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ କହିଥିଲେ ୬ ବର୍ଷ ତଳେ କେନ୍ଦ୍ର ସରକାର ୪୪୦ କିଲୋମିଟର କୋଷ୍ଟାଲ ହାଇୱେ ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ସମୟ କ୍ରମେ ଏହାକୁ କମାଇ ମାତ୍ର ୧୭୦ କିଲୋମିଟରରେ ସୀମିତ କରିଦେଇଛନ୍ତି ।

ଓଡିଶା ଉପକୂଳରେ ୩୮୨.୮ କିଲୋମିଟର ଉପକୂଳ ରାଜପଥ ନିର୍ମାଣ ହେବ । ଏହା ମୁଖ୍ୟତଃ ତିନି ଭାଗରେ ନିର୍ମାଣ ପ୍ରସ୍ତାବ ଥିବା ନେଇ ସୂଚନା ଦେଇଛି ରାଜ୍ୟ ବିଜେପି । ଟାଙ୍ଗୀରୁ ରତନପୁର ରାସ୍ତାର ଲମ୍ବ ପ୍ରାୟ ୧୭୭ କିଲୋମିଟର । ଏହା ଗତ ନଭେମ୍ବର ୧୦, ୨୦୨୦ରେ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା । ସେହିପରି ରତନପୁର ରୁ ଦୀଘା ପର୍ଯ୍ୟନ୍ତ ୧୭୦.୭ କିଲୋମିଟର ରାସ୍ତାକୁ ଡିସେମ୍ବର ୧୫, ୨୦୨୦ରେ ଅନୁମତି ମିଳିସାରିଛି । ଅବଶିଷ୍ଟ ୩୫ କିଲୋମିଟର ଲମ୍ବ ଧାମରାରୁ ବାସୁଦେବପୁରର କାମ ଏନଏଚଏଆଇ କାର୍ଯ୍ୟକାରୀ କରୁଥିଲା । ବିଜେପିର ଯୁକ୍ତି ଅନୁସାରେ ରାଜ୍ୟ ସରକାର ମାତ୍ର ୩୭୦ କିଲୋମିଟର କୋଷ୍ଟାଲ ହାଇୱେ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ୩୮୨ କିଲୋମିଟରରୁ ଅଧିକ କରିଛନ୍ତି ।