କନକ ବ୍ୟୁରୋ : ଚଳିତ ବର୍ଷ ଦେଶର ୫ ଟି ରାଜ୍ୟରେ ହୋଇଥିବା ନିର୍ବାଚନରେ କେଉଁ ପାର୍ଟି କେତେ ଟଙ୍କା ଖର୍ଚ୍ଚ କରିଛି ତାହାର ହିସାବ ଏବେ ରାଜନୈତିକ ଦଳମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛନ୍ତି । ଚଳିତବର୍ଷ ଦେଶର ୫ ଟି ରାଜ୍ୟ ତଥା ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଯେଉଁ ଖର୍ଚ୍ଚର ହିସାବ ଦିଆଯାଇଛି ସେଥିରେ କୁହାଯାଇଛି କି ଦଳ ପକ୍ଷରୁ ମୋଟ ୩୪୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପୂର୍ବଥର ଏହି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ବେଳେ ବିଜେପି ୨୧୮.୨୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ସେହିଭଳି କଂଗ୍ରେସ ଦଳ ଏହି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନରେ ୧୯୪.୮୦ କୋଟି ଟଙ୍କା ଖର୍ଚ୍ଚ କରିଛି । ପୂର୍ବ ନିର୍ବାଚନରେ ଏହି ୫ ଟି ରାଜ୍ୟରେ କଂଗ୍ରେସ ୧୦୮.୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

Advertisment

ତଥ୍ୟ ମୁତାବକ ଏହି ୫ ଟି ରାଜ୍ୟ ମଧ୍ୟରୁ ବିଜେପି ସବୁଠାରୁ ଅଧିକ ଟଙ୍କା ଉତ୍ତର ପ୍ରଦେଶ ନିର୍ବାଚନରେ ଖର୍ଚ୍ଚ କରିଛି । ଚଳିତ ନିର୍ବାଚନରେ ଦଳ ପକ୍ଷରୁ ଉତ୍ତର ପ୍ରଦେଶରେ ୨୨୧.୩୨ କୋଟି ଟଙ୍କା ଖର୍ଚ୍ଚ କରିଛି । ଯାହାକି ୨୦୧୭ ତୁଳନାରେ ୨୬ ପ୍ରତିଶତ ଅଧିକ । ହେଲେ ୨୦୧୭ ଠାରୁ ୨୦୨୨ ରେ ବିଜେପିକୁ ଉତ୍ତର ପ୍ରଦେଶରେ କମ୍ ଭୋଟ ମିଳିଛି ।

ସେହିଭଳି ପଞ୍ଜାବରେ ୨୦୧୭ ମସିହାରେ ବିଜେପି ମୋଟ ୭.୪୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୨୨ ନିର୍ବାଚନରେ ୫ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିଛି । ଅର୍ଥାତ ଦଳ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ୩୬.୭୦ କୋଟି ଟଙ୍କା ଖର୍ଚ୍ଚ କରିଛି । ହେଲେ ୨୦୧୭ ରେ ପଞ୍ଜାବରେ ବିଜେପି ଗୋଟିଏ ଆସନରେ ଜିତିବାକୁ ସକ୍ଷମ ହୋଇଥିବା ବେଳେ ଏଥର ୨ ଆସନ ହାତେଇଛି ।

ସେହିଭଳି ଗୋଆରେ ୨୦୧୭ରେ ବିଜେପି ୪.୩୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୨୨ ନିର୍ବାଚନରେ ୧୯.୦୭ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହାସହ ମଣିପୁରରେ ୨୦୨୨ ବିଧାନସଭା ନିର୍ବାଚନରେ ଦଳ ୨୩.୫୨ କୋଟି, ଉତ୍ତରାଖଣ୍ଡରେ ୪୩.୬୭ କୋଟି ଟଙ୍କା ଖର୍ଚ୍ଚ କରିଛି ।