ନବୀନ ନିବାସ ଯିବା ଭୁଲ ହୋଇଗଲା କହିଲା ବିଜେପି । କଂଗ୍ରେସ କହିଲା, ବରଯାତ୍ରୀ ହୋଇ ଯାଇଥିଲେ, ଘୋଳଦହି ପିଇ ଫେରିଲେ ।

ଆଜି ପୁଣି ବିଧାନସଭାରେ ବିଜେପି ସଦସ୍ୟଙ୍କ ଧାରଣା

221

କନକ ବ୍ୟୁରୋ: ଗତକାଲି ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଡାକିବା ଏବଂ ବିଜେଡି ନେତାଏଁ ସେମାନଙ୍କୁ ନବୀନ ନିବାସକୁ ପାଛୋଟି ନେବା ଯେତିକି ଚର୍ଚ୍ଚା ସୃଷ୍ଟି କରିଥିଲା, ତା’ଠାରୁ ଅଧିକ ଚର୍ଚ୍ଚା ହେଲା ବିଜେପି ଏଥିରୁ କ’ଣ ପାଇଲା, ଆଉ କ’ଣ ହରାଇଲା? ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆଳରେ ବିଜେପି ଯେଉଁ ରାଜନୈତିକ ଦୃଶ୍ୟ ଆଙ୍କିଥିଲା, ଏହାଠାରୁ ଆଉ ଏକ ପାଦ ଆଗେଇଯାଇ ପୂରା ଦୃଶ୍ୟକୁ ହାଇଜାକ୍ କରି ନେଇଥିଲା ବିଜେଡି ।

ଟିଭି ପରଦାରେ ଛାଇ ଯାଇଥିଲା ନବୀନ ନିବାସରେ ବିଜେଡିର ଆତିଥ୍ୟ ଓ ମୁଖ୍ୟମନ୍ତ୍ରୀ ନିଜେ ବିଜେପି ବିଧାୟକଙ୍କୁ ଡାକିବାର ଦୃଶ୍ୟ । ରାଜନୀତିର ଦାଉପେଂଚରେ ପଛରେ ପଡିଯିବା ପରେ ବିଜେପି କହିଛି, ନବୀନ ନିବାସ ଯିବା ସେମାନଙ୍କର ଭୁଲ ଥିଲା । ବିଜେପି ବିଧାୟକଙ୍କୁ ଅପମାନିତ କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା । ଏପଟେ ବିଜେପିକୁ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ର । କହିଛନ୍ତି, ବରଯାତ୍ରୀ ଭଳି ନବୀନ ନିବାସକୁ ଯାଇଥିଲେ ବିଜେପି ବିଧାୟକ ।

ସବୁଠୁ ବଡ଼ କଥା ହେଉଛି, ଯେଉଁ ପ୍ରସଙ୍ଗକୁ ନେଇ ଗତକାଲି ରାଜନୀତିର ବଡ଼ ଡ୍ରାମା ଦେଖିବାକୁ ମିଳିଥିଲା, ସେହି ସମସ୍ୟା ଯେମିତି ଥିଲା ସେମିତି ରହିଥିଲା । ଆଜି ପ୍ରଶ୍ନକାଳ ପରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ । ଏପଟେ ଯୋଗାଣ ମନ୍ତ୍ରୀ ଗୃହରେ ବିବୃତି ରଖି ପୂର୍ବ କଥାକୁ ଦୋହରାଇଥିଲେ । କହିଥିଲେ, ଗତବର୍ଷ ଠାରୁ ଅଧିକ ଅଧିକ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ । ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ବିରୋଧୀ । ଏହାକୁ ନେଇ ବିରୋଧୀ ଦଳର ବିଧାୟକମାନେ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀଙ୍କ ବିବୃତିକୁ ରିପିଟ୍ ଟେଲିକାଷ୍ଟ ବୋଲି ଆକ୍ଷେପ କରିବା ସହ ବିରୋଧୀ ଦଳ ନେତାଙ୍କୁ କହିବାର ସୁଯୋଗ ଦିଆଯାଇନଥିବା ଅଭିଯୋଗ କରିଥିଲା ବିଜେପି । ମୁହଁରେ କଳାପଟି ବାନ୍ଧି ବାଚସ୍ପତିଙ୍କ ପୋଡିୟମ ତଳେ ବସି ରହିଥିଲେ ବିଜେପି ବିଧାୟକ । କଂଗ୍ରେସ ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିନଥିଲା । ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିବା ପରେ ଗୃହକୁ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ।