କଂଗ୍ରେସ ପରେ ହିମାଚଳ ପାଇଁ ବିଜେପି ଜାରିକଲା ସଂକଳ୍ପ ପତ୍ର, ୮ଲକ୍ଷ ଚାକିରି ସହ ୫ ମେଡିକାଲ କଲେଜ

73

କନକ ବ୍ୟୁରୋ : ଆଗକୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ରହିଛି । ଏନେଇ ତାରିଖ ଘୋଷଣା ହେବା ପରେ ଉଭୟ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିବାରେ ଲାଗିଛନ୍ତି । ଗତକାଲି କଂଗ୍ରେସ ତରଫରୁ ସଂକଳ୍ପ ପତ୍ର ଜାରି କରାଯାଇଥିବା ବେଳେ ଆଜି ବିଜେପି ବି ସଂକଳ୍ପପତ୍ର ଜାରି କରିଛି ।

ଆଜି ବିଜେପି ତାର ସଂକଳ୍ପପତ୍ରରେ ପୁଣି ସରକାର ଗଠନ କଲେ କଣ କଣ କରିବ ତାହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସଂକଳ୍ପପତ୍ର ଜାରି କରି କହିଛନ୍ତି କି, ବିଜେପି ସରକାର ପୁଣି ଆସିଲେ ରାଜ୍ୟରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହାସହ ରାଜ୍ୟରେ ୟୁନିଫର୍ମ ସିବିଲ କୋର୍ଡ ଲାଗୁ କରାଯିବ । ଏନେଇ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯିବ । କେବଳ ଏତିକି ନୁହେଁ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୮ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଆଉ ୫ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ବିଜେପି ତାର ସଂକଳ୍ପପତ୍ରରେ ଉଲ୍ଲେଖ କରିଛି ।

ବିଜେପି ସଂକଳ୍ପ ପତ୍ରରେ କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛି । ବିଜେପି କହିଛି କି ସରକାର ଗଠନ ହେବା ପରେ ରାଜ୍ୟର କୃଷକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ କିସାନନିଧି ଯୋଜନାରେ ମୁଖ୍ୟମନ୍ତ୍ରୀ ଯୋଜନାକୁ ଯୋଡି ବାର୍ଷିକ ଅଧିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

 

ଜେ,ପି ନଡ୍ଡା କହିଛନ୍ତି କି ସରକାର ଗଠନ ହେବା ପରେ ରାଜ୍ୟରେ ଥିବା ୱାକର୍ଫ ବୋର୍ଡ ସମ୍ପତ୍ତିର ଯାଂଚ କରାଯିବ । ପ୍ରତି ବିଧାନସଭା କ୍ଷେତ୍ରରେ ମୋବାଇଲ କ୍ଲିନିକ ଖୋଲାଯିବ । ଏହାସହ ୧୨ ହଜାର କୋଟି ଟଙ୍କା ବିନିଯୋଗରେ ଧାର୍ମିକ ସ୍ଥଳର ଉନ୍ନତି କରାଯିବ ।