ବେଆଇନ ରଙ୍ଗଶାଳାକୁ ଭାଙ୍ଗିବା ନେଇ ସରକାରଙ୍କୁ ଘେରିଲା ବିଜେପି । ଲେଖାଶ୍ରୀଙ୍କ ପ୍ରଶ୍ନ, ସ୍ମିତାରାଣୀଙ୍କ ମୃତ୍ୟୁ ପରେ ରଙ୍ଗଶାଳା ଭାଙ୍ଗିବାକୁ କାହିଁକି ଏତେ ତତ୍ପର; ପ୍ରମାଣ ନଷ୍ଟ କରିବାକୁ ହେଉଛି କି ଉଦ୍ୟମ?

354

କନକ ବ୍ୟୁରୋ: ବେଆଇନ ରଙ୍ଗଶାଳାକୁ ଭାଙ୍ଗିବା ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପୁଣି କାଠଗଡାକୁ ଟାଣିଛି ବିଜେପି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗତକାଲି ରଙ୍ଗଶାଳାକୁ ସରକାର ଭାଙ୍ଗି ଦେଲେ, ଯଦି ସରକାରୀ କାଗଜ ଅନୁଯାୟୀ ୨୦୧୮ରେ ଏହି ରଙ୍ଗାଶାଳାକୁ ଭଙ୍ଗା ଯାଇଥାନ୍ତା ତେବେ ଆଜି ସ୍ମିତାରାଣୀର ମୃତ୍ୟୁ ହୋଇ ନଥାନ୍ତା । ସରକାର ମୂଳରୁ ଜାଣିଥିଲେ ଏହା ବେଆଇନ ଘର ବୋଲି ତେଣୁ କାହା ସ୍ୱାର୍ଥରେ ଏଯାଏଁ ସେ ଘରକୁ ନଭାଙ୍ଗି ରଖିଥିଲେ ଏବଂ ଏହି ଘରଟିକୁ ବିଜେଡି ତା ଗେଷ୍ଟ ହାଉସ ହିସାବରେ କାହିଁକି ବ୍ୟବହାର କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ।

ଲେଖାଶ୍ରୀ କହିଛନ୍ତି ଯେ, ସରକାରଙ୍କ ନାକତଳେ କିଭଳି ଏଭଳି ବେଆଇନ ଷ୍ଟ୍ରକଚର ଚାଲିଥିଲା ଆଉ ଯେତେବେଳେ ସ୍ମିତାରାଣୀଙ୍କ ହତ୍ୟା ହୋଇଗଲା, ତାଙ୍କ ହତ୍ୟା ପରେ ଏହି ଘରକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢିଲା । ସେ ରଙ୍ଗଶାଳାରେ ଯାହା ବି ତଥ୍ୟ ପ୍ରମାଣ ରହିଥିଲା ତାକୁ ନଷ୍ଟ କରିବାକୁ ସରକାରଙ୍କ ଏକୌଣସି ଚାଲ୍ ହୋଇଥାଇପାରେ ବୋଲି ବିଜେପି ଅଭିଯୋଗ କରିଛି ।

ଏପରିକି ପୋଲିସ ମଧ୍ୟ ସିସିଟିଭି ଜବତ କରିନି, ସିସିଟିଭିକୁ ଜାଣିଶୁଣି ନଷ୍ଟ କରିଦିଆଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ରୂପେଶ ଭଦ୍ରା , ବିଜେଡି ନେତା ରାମକୋ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଚରଣ ସିଂ ମିନା କେବେ ବି ନିରପେକ୍ଷ ତଦନ୍ତ କରିପାରିବେ ନାହିଁ । ତାଙ୍କ ତଦନ୍ତ ଉପରେ ଆମର ବିଶ୍ୱାସ ନାହିଁ ଆମେ ବାରମ୍ବାର ସିବିଆଇ ତଦନ୍ତ ଦାବି କରିଆସିଛୁ । କ୍ରାଇମବ୍ରାଂଚ ତଦନ୍ତ ମଧ୍ୟ କରିପାରିବେ ହେଲେ ସରକାର କରୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି ।