ବିଏସକେୱାଇରେ କେଉଁ ରୋଗୀ କେତେ ଟଙ୍କାର ଚିକିତ୍ସା ପାଇଛନ୍ତି, ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ । ବିଜେଡିକୁ ଟାର୍ଗେଟ କଲା ବିଜେପି ।

106

କନକ ବ୍ୟୁରୋ : ଆୟୁଷ୍ମାନ ଭାରତ ଯୋଜନା ନେଇ ବିଜେଡିର ଟାର୍ଗେଟ ପରେ ପ୍ରତିକ୍ରିୟା ରଖିଲା ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ନିର୍ବାଚନ ବର୍ଷ ଥିବାରୁ ମୁଖ୍ୟମନ୍ତ୍ରୀ ଗତକାଲି ବାଧ୍ୟ ବାଧକତାରେ କିଛି ବିଷୟକୁ ସାମ୍ନାକୁ ଆଣିଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ଼କୁ ନେଇ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ରାଜନୈତିକ ବୟାନବାଜି । ତାଙ୍କ ମୁହଁରୁ ଏହା ଶୋଭା ପାଏନି । କାରଣ ବିଭିନ୍ନ ସମୟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେଉଁ ରୋଗୀ କେତେ ଟଙ୍କା କେତେ ଥର ଚିକିତ୍ସା ଯୋଗାଇ ଦିଆଯାଇଛି ତାହାର ତଥ୍ୟକୁ ସାର୍ବଜନୀନ କରନ୍ତୁ ।

ଅନ୍ୟପଟେ କେନ୍ଦ୍ର ବଜେଟକୁ ନେଇ ସମୀର କହିଛନ୍ତି, ବଜେଟରେ ସବୁ ବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଛି । ଯାହା ଦ୍ୱାରା ଓଡିଶା ବେଶ ଲାଭବାନ ହୋଇ ପାରିବ ।ଓଡିଶାର ଆଦିମ ଅଧ୍ୟୁଷିତ ଅଞ୍ଚଳର ବିକାଶ ବି ହୋଇ ପାରିବ । ଏଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ । ତେବେ ଏସବୁ ଭିତରେ ଦୁଃଖର କଥା ହେଉଛି ବଜେଟରେ ବ୍ୟୟ ବରାଦ ଅର୍ଥକୁ ନେଇ ରାଜ୍ୟରେ ଖର୍ଚ୍ଚର ସଠିକ ବ୍ୟବସ୍ଥା ହୋଇ ପାରୁନି । ରାଜ୍ୟ ସରକାର ନିକଟରେ ଦାବି କରୁଛୁ ଏହି ବଜେଟର ସଦ ବ୍ୟବହାର କରି ଓଡିଆ ଯୁବକଙ୍କୁ ସମୃଦ୍ଧ କରନ୍ତୁ ।