ପୁରୀରେ ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ଆଜି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

34

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ୍ ଉତ୍ସାହିତ ଅଛି। ମୋଦୀ ଯିବାର ୪୮ ଘଣ୍ଟା ନ ପୂରୁଣୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶା ଆସୁଛନ୍ତି। ପୁରୀରେ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସେ ଯୋଗ ଦେବେ। ଆୟୁଷ୍ମାନ୍ ଭାରତକୁ ଓଡ଼ିଶା ସରକାର ଲାଗୁ କରୁ ନ ଥିବାରୁ ତାହାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଶାହା।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ଦୁଇଟି ସଭାରେ ସିଧାସଳଖ ସମାଲୋଚନା କଲେ। ମୋଦୀଙ୍କ ଏହି ସମାଲୋଚନାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଯଦିଓ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାହାର ଜବାବ ଦେଇଛନ୍ତି । ଠିକ୍ ଏହି ସମୟରେ ଦଳକୁ ଆହୁରି ଚଳଚଞ୍ଚଳ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଜି ମାର୍ଗଦର୍ଶନ ଦେବେ।

ଓଡ଼ିଆ ଭାଷାରେ ହୋଇଥିବା ଏହି ଟୁଇଟରେ ଅମିତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଆୟୁଷ୍ମାନ ଭାରତ’କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ସ୍ୱାର୍ଥ ଅଥବା ବିଦ୍ୱେଷ କାରଣରୁ ଏହି ସୁବିଧାରୁ ରାଜ୍ୟବାସୀଙ୍କୁ ବଞ୍ଚିତ ରଖିବା ଦୁଃଖଦ ଓ ନିନ୍ଦନୀୟ ଅଟେ। ବିଜେଡିର ସଂକୀର୍ଣ୍ଣ ମାନସିକତା କାରଣରୁ ଓଡ଼ିଶାର ଗରିବ ଜନତାଙ୍କୁ ଏହି ଯୋଜନାର ଲାଭ ମିଳିପାରୁ ନାହିଁ।

 

ଗତକାଲି ସନ୍ଧ୍ୟାରେ ପୁରୀ ଠାରେ ଆରମ୍ଭ ହୋଇଥିବା ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଅମିତ ଶାହା ଯୋଗ ଦେବେ। ସେ ସକାଳ ୧୦ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପୁରୀ ଯିବେ। ଭୁବନେଶ୍ୱର-ପୁରୀ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୧୨ଟା ୨୫ରେ ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ପରେ ସେ ଅପରାହ୍ନ ୩ଟାରେ ହୋଟେଲ୍ ଗୋଲ୍ଡେନ୍ ପ୍ୟାଲେସଠାରେ ମହିଳା କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ।