ପଶ୍ଚିମବଙ୍ଗରେ ବିଜେପିିର ପରିବର୍ତ୍ତନ ଯାତ୍ରା । ଆସନ୍ତାକାଲି ଶୁଭାରମ୍ଭ କରିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ବେଙ୍ଗଲ ରାଜନୀତି ସରଗରମ ।

62

କନକ ବ୍ୟୁରୋ: ବେଙ୍ଗଲ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ପଶ୍ଚିମବଙ୍ଗ ରାଜନୀତି ସେତିକି ଜୋର୍ ଧରୁଛି । ବିଜେପି ମମତାଙ୍କ ଗଡକୁ ଭାଙ୍ଗିବାକୁ ଯୋଜନା କରୁଥିବାବେଳେ ଦିଦି ବି ବିଜେପିକୁ ଅକଳରେ ପକାଇବାକୁ ବସିଛନ୍ତି । ଏହାରି ଭିତରେ ଆସନ୍ତାକାଲିଠୁ ବିଜେପି ଆରମ୍ଭ କରୁଛି ପରିବର୍ତ୍ତନ ଯାତ୍ରା । ଯାହାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆରମ୍ଭ କରିବେ ।

ଆସନ୍ତାକାଲି ଜେପି ନଡ୍ଡା ନବଦୀପରୁ ଏହି ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରିବେ । ଯାହାକି ପଶ୍ଚିମବଙ୍ଗ ପରିଭ୍ରମଣ କରିବାର ସୂଚନା ଅଛି । ହେଲେ ଏଯାବତ ଏନେଇ ପଶ୍ଚିମବଙ୍ଗ ସରକାର ବିଜେପିକୁ ଅନୁମତି ଦେଇନାହାନ୍ତି । ଯାହା ଫଳରେ ଏହି ଯାତ୍ରା କେତେ ବାଟ ଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ପରିବର୍ତ୍ତନ ଯାତ୍ରା ପାଇଁ ଅନୁମତି ମିଳିଲେ ଚଙ୍ଗା ନହେଲେ ପଙ୍ଗା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ଅର୍ଥାତ ଯାତ୍ରା ପାଇଁ ଅନୁମତି ନମିଳିଲେ ପରିସ୍ଥିତି ଖରାପ ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଆସନ୍ତାକାଲି ହିଁ ଏହି ଯାତ୍ରା କେଉଁଠାରୁ କେଉଁଠାକୁ ଯିବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।