ନିଜ ଭାଷଣରେ ବିରୋଧୀଙ୍କ ମୁହଁ ଚୁପ୍ କରିଦେଲେ ବିଜେପି ସାଂସଦ । ତାଳି ମାରିଲେ ଶାହା, ଭାଷଣର ଭିଡ଼ିଓ ସେୟାର କରି ଦେଖିବାକୁ କହିଲେ ମୋଦି ।

1,116

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରକୁ ଭାଗ କରି ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍ ଲୋକସଭାରେ ଆଗତ ପରେ ଏହାକୁ ଜୋରଦାର ବିରୋଧ କରିଥିଲେ ବିରୋଧୀ । କିନ୍ତୁ ନିଜ ଶାଣିତ ଯୁକ୍ତି ବଳରେ ବିରୋଧୀଙ୍କ ମୁହଁ ଚୁପ୍ କରିଛନ୍ତି ଲଦାଖର ସାଂସଦ ଜାମୟାଙ୍ଗ ସେରିଙ୍ଗ । ଜାମୟାଙ୍ଗଙ୍କ ଭାଷଣ ଆରମ୍ଭରୁ ହିଁ ପୂରା ଗୃହ ତାଳିମାଡରେ ପ୍ରକମ୍ପିତ ହୋଇ ଉଠିଥିଲା । ଯାହା ଜାମୟାଙ୍ଗ ଭାଷଣ ଶେଷ ହେବା ପର‌୍ୟ୍ୟନ୍ତ ଜାରି ରହିଥିଲା । ଶାହାଙ୍କ ଠାରୁ ଆରମ୍ଭ କରି ସଦନର ବଡ ବଡ ନେତା ଜାମୟାଙ୍ଗ ଭାଷଣରେ ଏତେ ପ୍ରଭାବିତ ହୋଇଥିଲେ ଲଗାତାର ତାଳି ମାରି ଚାଲିଥିଲେ । ଏପରିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାମୟାଙ୍ଗଙ୍କ ଭାଷଣଣ ଭିଡ଼ିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିବାକୁ ପଛାଇ ନଥିଲେ ।

ଧାରା ୩୭୦ ଉଚ୍ଛେଦକୁ ନେଇ ଜାମୟାଙ୍ଗ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଯେଉଁ ଭୁଲ କରିଥିଲେ ତାହାକୁ ଆଜି ପରିବର୍ତ୍ତନ କରାଯାଉଛି । ଦୀର୍ଘ ୭୦ ବର୍ଷ ଧରି ଲଦାଖକୁ ଆପଣାଇନଥିବା କଂଗ୍ରେସ-ପିଡିପି-ଏନସି ଆଜି ଲଦାଖର କଥା କହୁଛନ୍ତି । ତାହା ବି ପୁଣି କାଗଜ ଦେଖି । ଲଦାଖ ଭାରତର ଅଭିନ୍ନ ଅଙ୍ଗ ହେବାକୁ ଚାହୁଁଥିଲା । ସେତେବେଳେ ମଧ୍ୟ ଲଦାଖର ଲୋକ ଦାବି କରିଥିଲେ କି, ସେମାନଙ୍କୁ କାଶ୍ମୀର ସହ ମିଶା ନଯାଉ । ସେତେବେଳେ ଆମ କଥା କେହି ଶୁଣିନଥିଲେ, ଆଉ ଏଥିପାଇଁ କଂଗ୍ରେସ ଦଳ ହିଁ ଦାୟୀ ।

ଏହାସହ ଜାମୟାଙ୍ଗ କହିଛନ୍ତି, ୧୯୬୫-୭୧-୯୯ ଯୁଦ୍ଧରେ ଲଦାଖ ଲୋକ ହିଁ ବଳିଦାନ ଦେଇଛନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଲଦାଖ ସବୁବେଳେ ଅବହେଳିତ ରହି ଆସିଛି । ନ୍ୟାସନାଲ କନଫେରନ୍ସ ସାଂସଦ କହୁଥିଲେ, ଧାରା ୩୭୦ ଉଚ୍ଛେଦ ହେବା ଦ୍ୱାରା ବହୁତ କିଛି ହରାଇବେ କାଶ୍ମୀର । ମୁଁ ତାଙ୍କ କଥା ମାନୁଛି ଯେ କାଶ୍ମୀର ଗୋଟିଏ ବଡ ଜିନିଷ ହରାଇବ । ତାହା ହେଉଛି ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ଉପରେ ଦୀର୍ଘ ଦିନ ଧରି ରାଜ୍ କରି ଆସୁଥିବା ଦୁଇ ପରିବାର ରାଜନୈତିକ ଅସ୍ତିତ୍ୱ ହରାଇବେ ।

କଂଗ୍ରେସ ସରକାରକୁ ଟାର୍ଗେଟ କରିବାକୁ ଯାଇ ଜାମୟାଙ୍ଗ କହିଛନ୍ତି, ଯୁପିଏ ସରକାର ଥିବା ବେଳେ ଲଦାଖର ବିକାଶ ନାଁରେ ଟଙ୍କା ଆଣି କାଶ୍ମୀରରେ ଉଡାଯାଉଥିଲା । ଏପରିକି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଲଦାଖବାସୀଙ୍କୁ ଅଣଦେଖା କରାଯାଉଥିଲା । ଯେଉଁ ମାନେ ବର୍ଷ ବର୍ଷ ଧରି ଲଦାଖକୁ ଲୁଟ୍ କରୁଥିଲେ ସେମାନଙ୍କ ମନରେ ଲଦାଖ ପ୍ରତି ଏତେ ପ୍ରେମ ଆସିଲା କେଉଁଠୁ?

ଯେଉଁ ମାନେ ଆଜି ଲଦାଖକୁ ନେଇ ଏତେ ଚିନ୍ତିତ ହେଉଛନ୍ତି ସେହିମାନେ ଦୀର୍ଘ ବର୍ଷ ଧରି ଲଦାଖକୁ ଅଣଦେଖା କରି ଆସିଛନ୍ତି । ବାସ୍ତବରେ କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିରେ ଲଦାଖବାସୀ ବେଶ ଖୁସି ଅଛନ୍ତି । ଦୁଇ ପରିବାର ହିଁ କାଶ୍ମୀର ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛନ୍ତି । ସେମାନେ ଏବେ ବି ନିଶାରେ ଅଛନ୍ତି ଯେ, କାଶ୍ମୀର ସେମାନଙ୍କର ବାପା ସମ୍ପତ୍ତି ।

ଜାମୟାଙ୍ଗଙ୍କ ଏହି ଭାଷଣକୁ କେବଳ ସଦନରେ ପ୍ରଂଶସା କରାଯାଇନାହିଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଏହା ବେଶ ଭାଇରାଲ ହୋଇଛି । ଏହି ଯୁବ ସାଂସଦଙ୍କ ଭାଷଣରେ ମୋଦି ଏତେ ପ୍ରଭାବିତ ହୋଇଛନ୍ତି ଯେ, ସମସ୍ତଙ୍କୁ ଏହି ଭାଷଣ ଶୁଣିବାକୁ ଟ୍ୱିଟ୍ କରି କହିଛନ୍ତି ।