ବିଧାନସଭାରେ ସାନିଟାଇଜର ପିଇବା ପରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । କହିଲେ, ମୁଁ ସୁସ୍ଥ ଅଛି …

255

କନକ ବ୍ୟୁରୋ: ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ସାନିଟାଇଜର ପିଇବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ , ଚାଷୀଙ୍କ ଦୁଃଖକୁ ଦେଖି ଆଜି ସେ ଏଭଳି କରିଥିଲେ ବୋଲି କହିଛନ୍ତି । ଏଥିସହ ସେ ଅଳ୍ପ ସାନିଟାଇଜର ପିଇଦେଇଥିଲେ, ସେତିକିବେଳେ ବିଭାଗୀୟ ମନ୍ତ୍ରୀ ଆସି ତାଙ୍କୁ ରୋକିବା ସହ ଏଥିରୁ ତାଙ୍କୁ ଅଟକାଇଥିଲେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ପ୍ୟାକ୍ସରେ ଚାଷୀଙ୍କ ଧାନ ସେମିତି ପଡିରହିଛି । ଚାଷୀଙ୍କ ଧାନକୁ ସରକାର କିଣୁନାହାନ୍ତି ବୋଲି ସେ କହିଛନ୍ତି । ଏନେଇ ବାରମ୍ବାର ବିଧାନସଭାରେ କୁହାଯାଉଥିଲେ ମଧ୍ୟ ସରକାର କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯେଉଁ କାରଣରୁ ଚାଷୀମାନେ ଆତ୍ମହତ୍ୟା କରିବାକୁ ପଛାଉନାହାନ୍ତି । ଚାଷୀ ଆତ୍ମହତ୍ୟା କରିବା ଅପେକ୍ଷା ସେ ନିଜେ ଆତ୍ମହତ୍ୟା କରିବା ଭଲ ବୋଲି ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ।

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଯେଉଁଥିରେ ବିରୋଧୀମାନେ ମଣ୍ଡି ସମସ୍ୟା କଥା ଉଠାଇଛନ୍ତି । ଏହାକୁ ନେଇ ଆଜି ଦିନ ସାରା ବିଧାନସଭାରେ ହଙ୍ଗାମା ହୋଇଥିଲା । ଏହାପରେ ଏନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଲାବେଳେ ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗୃହର ଅନ୍ୟ ସଦସ୍ୟମାନେ ତାଙ୍କୁ ରୋକିଦେଇଥିଲେ ।