ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ହଙ୍ଗାମା । ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ ।

135

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ମାତ୍ରେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ସରକାରକୁ ଘେରିବା ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ବିରୋଧୀ । ଆଜି ଅଧିବେଶନ ଆରମ୍ଭ ମାତ୍ରେ ବିରୋଧୀଙ୍କ ନାରାବାଜିରେ ଉଠିଥିଲା ପଡିଥିଲା ବିଧାନସଭା । ନାରାବାଜି ଭିତରେ ମଣ୍ଡିରେ ଧାନକିଣାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିଲେ ।

ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରି ଗୃହ ମଝିକୁ ଆସିଥିଲେ ସୁବାସ ପାଣିଗ୍ରହୀ ଆଉ କେହି କିଛି ବୁଝିବା ପୂର୍ବରୁ ସେ ଏପରି ଏକ ପଦକ୍ଷେପ ନେଇଥିଲେ, ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା । ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦେବଗଡ଼ ବିଧାୟକ । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ ଓ ଅନ୍ୟ ସଦସ୍ୟମାନେ ତାଙ୍କୁ ଅଟକାଇ ଥିଲେ । ସାଇଟାଇଜର ବୋତଲ ଛଡ଼ାଇ ନେଇଥିଲେ ବିକ୍ରମ ଆରୁଖ ।

ଅନ୍ୟପଟେ ଚଳିତ ଖରିଫ୍ ଋତୁରେ ମଣ୍ଡିରେ ଅଧିକ ଧାନ କିଣାଯାଇଛି ବୋଲି ଗୃହରେ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ । ସେ କହିଥିଲେ, ରାଜ୍ୟରେ ଏପର୍ଯ୍ୟନ୍ତ ୧୯ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ମଣ୍ଡିରେ ଧାନ ବିକିବା ସୁଯୋଗରୁ ଯେଉଁ ଚାଷୀ ବଂଚିତ ହୋଇଛନ୍ତି, ସେମାନଙ୍କ ତାଲିକା ଦେଲେ ସରକାର ପଦକ୍ଷେପ ନେବେ । ଏପଟେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୂଲତବୀ କରିଛନ୍ତି ବାଚସ୍ପତି ।